ଭାରତରେ ବି ଅ‌କ୍ସଫୋର୍ଡ ଟିକାର ପରୀକ୍ଷା ବନ୍ଦ

ବର୍ଷ ଶେଷ ସୁଦ୍ଧା ଟିକା ଆସିଯାଇପାରେ: ଆଷ୍ଟ୍ରାଜେନେକା

ମୁମ୍ବାଇ/ଲଣ୍ଡନ: ଭାରତରେ ବି ଅ‌କ୍ସଫୋର୍ଡ ଟିକାର ପରୀକ୍ଷଣ ବନ୍ଦ ହେବ। ଲଣ୍ଡନରେ ଜଣେ ରୋଗୀ ଅସୁସ୍ଥ ‌ହୋଇ ପଡ଼ିବା ପରେ ଅକ୍ସ‌ଫୋର୍ଡ ବିଶ୍ବବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟ୍ ଓ ବ୍ରିଟେନର ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ପକ୍ଷରୁ ବିଦେଶରେ ପରୀକ୍ଷଣ ହେଉଥିବା ଏହି ଟିକାକୁ ଗତକାଲି ସ୍ଥଗିତ ଘୋଷଣା କରାଯାଇଥିଲା। ବିଦେଶରେ ଏହି ଟିକାର ପରୀକ୍ଷଣ ସ୍ଥଗିତ ରହିବ ବୋଲି ଆଷ୍ଟ୍ରାଜେନେକା ଘୋଷଣା କରିଥିଲେ ମଧ୍ୟ ଭାରତରେ ଏହି ଟିକାର ପରୀକ୍ଷଣ ଜାରି ରହିବ ବୋଲି ଆମ ଦେଶରେ ଉକ୍ତ ଟିକାର ବିକାଶ କରୁଥିବା କମ୍ପାନି ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସୂଚନା ଦେଇଥିଲା। ଭାରତରେ ପରୀକ୍ଷଣ ବେଳେ କୌଣସି ସମସ୍ୟା ଦେଖାଦେଇ ନଥିବାରୁ ଏହା ଚାଲୁ ରହିବ ବୋଲି କହିଥିଲା।

ଏହା ଦେଶବାସୀଙ୍କୁ ଅନେକ ମାତ୍ରାରେ ଆଶ୍ବସ୍ତ କରିଥିଲା। କିନ୍ତୁ ସିରମ୍ ଇନଷ୍ଟିଚ୍ୟୁଟ୍ ଏହି ମନ୍ତବ୍ୟ ଦେବାର କିଛି ସମୟ ପରେ ଡିସିଜିଆଇ ପକ୍ଷରୁ ଏହାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପରୀକ୍ଷଣ ସମୟରେ ଲଣ୍ଡନରେ ଜଣେ ବ୍ୟକ୍ତି ଏହି ଟିକା ନେଇ ଅସୁସ୍ଥ ହେବା ସମ୍ପର୍କରେ ଆମକୁ କାହିଁକି ଜଣାଇ ନାହଁ ବୋଲି ଡିସିଜିଆଇକୁ ପଚାରିଥିଲା। ଏଥିସହିତ ବିଦେଶରେ ପରୀକ୍ଷଣ ବନ୍ଦ କରାଯାଇଥିବାରୁ ଭାରତରେ କାହିଁକି ବନ୍ଦ କରାଯିବ ନାହିଁ ବୋଲି ନୋଟିସରେ କହିଥିଲା। ଡିସିଜିଆଇ ନୋଟିସ ପରେ ସିରମ ଇନଷ୍ଟିଚ୍ୟୁଟ୍ ତାହାର ଆଭିମୁଖ୍ୟରେ ଆଜି ପରିବର୍ତ୍ତନ ଆଣିଛି। କମ୍ପାନି କହିଛି ବର୍ତ୍ତମାନ ପାଇଁ ଏହି ଟିକାର ପରୀକ୍ଷଣ ଭାରତରେ ମଧ୍ୟ ସ୍ଥଗିତ ରହିବ। ବ୍ରିଟିସ କମ୍ପାନି ଆଷ୍ଟ୍ରାଜେନେକା ଉକ୍ତ ଟିକାର ପରୀକ୍ଷଣ ଆରମ୍ଭ ପୁଣି ଥରେ ଆରମ୍ଭ ନକରିବା ପର୍ଯ୍ୟନ୍ତ ଭାରତରେ ଏହାର ପରୀକ୍ଷଣ ସ୍ଥଗିତ ରହିବ ବୋଲି ସ୍ପଷ୍ଟ କରିଛି। ପରିସ୍ଥିତିର ଆମେ ସମୀକ୍ଷା କରୁଛୁ ଏବଂ ବର୍ତ୍ତମାନ ପାଇଁ ପରୀକ୍ଷଣକୁ ସ୍ଥଗିତ ରଖୁଛୁ ବୋଲି ସିରମ୍ ଇନଷ୍ଟିଚ୍ୟୁଟ୍ କହିଛି।

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକଙ୍କ ପାଇଁ ଉକ୍ତ ଟିକାର ବିକାଶ କରୁଥିବା ଆଷ୍ଟ୍ରାଜେନେକା ପକ୍ଷରୁ ଗତକାଲି ଏହାର ପରୀକ୍ଷଣ ବନ୍ଦ କରାଯିବ ବୋଲି କୁହାଯାଇଥିଲା। ସ୍ବାସ୍ଥ୍ୟ ସୁରକ୍ଷା ସଂପର୍କରେ ଏକ ସ୍ବାଧୀନ କମିଟି ତଦନ୍ତ କରି ରିପୋର୍ଟ ଦେବା ପର୍ଯ୍ୟନ୍ତ ଆଷ୍ଟ୍ରାଜେନେକା ଏହାର ପରୀକ୍ଷଣକୁ ସ୍ଥଗିତ ରଖିବ। କରୋନା ଟିକା ବିକାଶ କ୍ଷେତ୍ରରେ ଏହା ଏକ ବଡ଼ ପ୍ରତିବନ୍ଧକ ଭାବେ ଠିଆ ହୋଇଛି ବୋଲି ଏହି ପରିପ୍ରେକ୍ଷୀରେ ବ୍ରିଟେନର ସ୍ବାସ୍ଥ୍ୟ ସଚିବ ମାଟ୍ ହାନ୍‌କକ୍‌ କହିଛନ୍ତି। ଏହି ସମସ୍ୟା ଯୋଗୁ ଟିକାର ବିକାଶ ପାଇଁ ବାଧକ ସାଜିବ କି ବୋଲି ପ୍ରଶ୍ନରେ ହାନକକ୍ କହିଛନ୍ତି, ତାହା ହେବ ବୋଲି କୁହାଯାଇ ପାରିବ ନାହିଁ। କିନ୍ତୁ ତଦନ୍ତର ଫଳାଫଳ ଉପରେ ସବୁକିଛି ନିର୍ଭର କରୁଛି ବୋଲି ସେ କହିଛନ୍ତି। ଏସବୁ ସତ୍ତ୍ବେ ଆଷ୍ଟ୍ରାଜେନେକାର ସିଇଓ ପାସ୍କାଲ ସୋରିୟଟ ଆଜି କହିଛନ୍ତି, ପରୀକ୍ଷଣ ସ୍ଥଗିତ ରହିଲେ ସୁଦ୍ଧା ଚଳିତବର୍ଷ ଶେଷସୁଦ୍ଧା ଟିକା ପ୍ରସ୍ତୁତ ହୋଇଯାଇ‌ପାରେ।

ସମ୍ବନ୍ଧିତ ଖବର