ଜେଲ୍‌ରେ କନ୍ନଡ଼ ଭାଷା ଶିଖୁଛନ୍ତି ଶଶିକଳା

ବେଙ୍ଗାଲୁରୁ: ଚାରି ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ପାଇଥିବା ଏଆଇଏଡିଏମ୍‌କେ ନେତ୍ରୀ ଭି କେ ଶଶିକଳା ଏବେ ଜେଲ୍‌ରେ କନ୍ନଡ଼ ଭାଷା ଶିକ୍ଷା କରୁଛନ୍ତି।

ପାରାପ୍ପାନା ଅଗ୍ରାହରା କେନ୍ଦ୍ରୀୟ କାରାଗାରରେ ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେଉଥିବା କ୍ଲାସ୍‌ରେ ଶଶିକଳା ଯୋଗ ଦେଉଛନ୍ତି। ସେଠାରେ ତାଙ୍କୁ ବର୍ଣ୍ଣମାଳା, ମୌଳିକ ପଠନ ଦକ୍ଷତା ଏବଂ ଉଚ୍ଚାରଣ ଆଦି ଶିକ୍ଷା ଦିଆ ଯାଉଛି। କନ୍ନଡ଼ ଭାଷା ଲେଖା ପଢ଼ା ବ୍ୟତୀତ, ଶଶିକଳା ମୌଳିକ କମ୍ପ୍ୟୁଟର୍‌ ସାଇନ୍‌ସ୍‌ ମଧ୍ୟ ଶିଖୁଛନ୍ତି। କନ୍ନଡ଼ କ୍ଲାସ୍‌ରେ ଶଶିକଳାଙ୍କୁ ସଙ୍ଗ ଦେଉଛନ୍ତି ତାଙ୍କର ନଣନ୍ଦ ଜେ ଇଲାଭାରାସି।

ଏହି ପାଠ୍ୟକ୍ରମର ମୌଖିକ ପରୀକ୍ଷା କରାଯାଏ। କିନ୍ତୁ ଶଶିକଳା ‘ମୌନବ୍ରତ’ ପାଳିଥିବାରୁ ପରୀକ୍ଷା ଦିନ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ। କିନ୍ତୁ ସେ ଉତ୍ତମ କନ୍ନଡ଼ ଲେଖି ପାରୁଛନ୍ତି। ଉଭୟଙ୍କୁ କୋର୍ସ କରିଛନ୍ତି ବୋଲି ପାର୍ଟିସିପେସନ୍‌ ସାର୍ଟିଫିକେଟ୍‌ ମିଳିବ।

ଶଶିକଳାଙ୍କର ବହି ପଢ଼ାରେ ବିଶେଷ ଆଗ୍ରହ ଦେଖା ଯାଉଛି। ଏବେ ଜେଲ୍‌ରେ କେବଳ ପୁରୁଷ କଏଦୀମାନଙ୍କ ପାଇଁ ପାଠାଗାର ସୁବିଧା ଅଛି। କିନ୍ତୁ ଶଶିକଳାଙ୍କ ଯୋଗୁଁ ଜେଲ୍‌ କର୍ତ୍ତୃପକ୍ଷମାନେ କେବଳ ମହିଳାମାନଙ୍କ ପାଇଁ ଏକ ପାଠାଗାର ଖୋଲିବାକୁ ଉଦ୍ୟମ କରୁଛନ୍ତି।

ଜେଲ୍‌ରେ ଆଉ ଦୁଇଟି ପାଠାଗାର ଚାଲିବ। ଗୋଟିଏ ବିଚାରାଧୀନ ପୁରୁଷ କଏଦୀଙ୍କ ପାଇଁ ଏବଂ ଅନ୍ୟଟି ମହିଳା ଅନ୍ତେବାସୀଙ୍କ ପାଇଁ। କେବଳ ମହିଳା ପାଠାଗାର ନିମନ୍ତେ ୯୧ଟି ଖବରକାଗଜ, ମାସିକ/ସାପ୍ତାହିକ ପତ୍ରିକା କିଣିବାକୁ ପାଠାଗାର ବିଭାଗ ଅଧିକ ୩୦ ହଜାର ଟଙ୍କା ବ୍ୟୟ କରିବ। ବନ୍ଦିନୀଙ୍କ ପାଇଁ ପାଠାଗାର ମଞ୍ଜୁର କରାଇବାକୁ ଶଶିକଳା ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେ ନିଜେ ବହି ଥାକ ସଜାଡ଼ିଛନ୍ତି। ଖୁବ୍‌ ଶୀଘ୍ର ସେ ପାଠାଗାର ଉଦ୍‌ଘାଟନ କରାଯିବ।

ସମ୍ବନ୍ଧିତ ଖବର