ଜୟପୁର: ୨୦୧୯ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ବିଧବା ପତ୍ନୀ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଚାକିରି ଦାବି କରି ଜୟପୁରରେ କରିଥିବା ଆନ୍ଦୋଳନ ଆଜି ହିଂସାତ୍ମକ ମୋଡ଼ ନେଇଛି। ଫେବ୍ରୁଆରି ୨୮ରୁ ସେମାନେ ଆନ୍ଦୋଳନରେ ବସିଥିଲେ। କ୍ଷତିପୂରଣ ବାବଦରେ ସେମାନେ କେବଳ ସେମାନଙ୍କ ପିଲା ନୁହେଁ ବରଂ ସମ୍ପର୍କୀୟଙ୍କ ପାଇଁ ସରକାରୀ ଚାକିରି ଦାବି କରିଛନ୍ତି। ଏଥିପାଇଁ ନିୟମ ପରିବର୍ତ୍ତନ ଲାଗି ଦାବି କରିଛନ୍ତି। ସେମାନଙ୍କ ଅନ୍ୟ କେତେକ ଦାବି ହେଉଛି ଗ୍ରାମରେ ସହିଦଙ୍କ ପ୍ରତିମୂର୍ତ୍ତି ଏବଂ ରାସ୍ତା ନିର୍ମାଣ। ତେବେ ସହିଦ ଯବାନଙ୍କ ବିଧବା ପତ୍ନୀଙ୍କ ଆନ୍ଦୋଳନ ଏବେ ହିଂସାତ୍ମକ ମୋଡ଼ ଦେଇଛି। ବିଜେପି ନେତା କିରୋଡି ଲାଲ୍ ମୀନା ଗତକାଲି ଜଣେ ଯବାନଙ୍କ ବିଧବା ପତ୍ନୀଙ୍କୁ ଭେଟିବାକୁ ଯାଉଥିବାବେଳେ ବାଟରେ ରାଜସ୍ଥାନ ପୁଲିସ ଦ୍ବାରା ତାଙ୍କୁ ଅଟକ ରଖାଯାଇଥିଲା। ପୁଲିସ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛି ବୋଲି ସେ ଦାବି କରିଛନ୍ତି।
ତେବେ ଏହି ଘଟଣାକୁ ବିରୋଧ କରି ବିଜେପି କର୍ମୀମାନେ ଆଜି ଜୟପୁରରେ ଆଉ ଏକ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନ ଅଭିମୁଖେ ପଦଯାତ୍ରାରେ ଯାଉଥିବାବେଳେ ଆନ୍ଦୋଳନ ହିଂସାର ରୂପ ନେଇଛି। ଆନ୍ଦୋଳନକାରୀ ପଥର ଫିଙ୍ଗି ପୁଲିସ ବ୍ୟାରିକେଡ ଭାଙ୍ଗିଥିବାବେଳେ ପୁଲିସ ଲାଠିମାଡ଼ କରିଛି। ଅନେକ ସଂଖ୍ୟାରେ ବିଜେପି କର୍ମୀ ଆଜି ରାଜସ୍ଥାନ ପୁଲିସ ଦ୍ବାରା ଅଟକ ରହିଛନ୍ତି। ଇତି ମଧ୍ୟରେ ବିଜେପି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ପୁଲିସ କାର୍ଯ୍ୟାନୁଷ୍ଠାନ ଯବାନଙ୍କ ବିଧବା ପତ୍ନୀଙ୍କ ପ୍ରତି ଅପମାନ ବୋଲି ବିଜେପି କହିଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି।