ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (ଡବ୍ଲୁଏଫଆଇ) ଏବଂ ଏହାର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଜନ୍ତର ମନ୍ତରରେ ପୁଣି ଧାରଣା ଆରମ୍ଭ କରିଛନ୍ତି ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗତ। ୭ ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କନ୍ନଟ ପ୍ଲେସ ଥାନାରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଏପର୍ଯ୍ୟନ୍ତ ଏଫଆଇଆର ହୋଇନାହିଁ। ଏଥିସହିତ ସରକାରୀ କିମିଟିର ରିପୋର୍ଟ ଏପର୍ଯ୍ୟନ୍ତ ସାଧାରଣରେ ପ୍ରକାଶ କରାଯାଇନାହିଁ। ମହିଳା କୁସ୍ତିଯୋଦ୍ଧାଙ୍କ ବିବୃତିକୁ ସାର୍ବଜନୀନ କରାଯିବା ଆବଶ୍ୟକ ବୋଲି ଆମେ ଚାହୁଛୁ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଅଭିଯୋଗକାରୀଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି।

Advertisment

ଅଭିଯୋଗକାରିଣୀଙ୍କ ନାମ ପ୍ରକାଶ କରାଯିବା ଉଚିତ ନୁହେଁ ବୋଲି ଏକ ଭିଡ଼ିଓରେ ସାକ୍ଷୀ ମଲ୍ଲିକ କହୁଥିବା ଶୁଣିବାକୁ ମିଳିଛି। ଗତ ୨୧ ତାରିଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରୁନାହିଁ ବୋଲି ଭିନେଶ ଟ୍ବିଟ କରିଛନ୍ତି। ପ୍ରାୟ ୩ ମାସ ତଳେ ଜାନୁଆରି ୧୮ରେ ସେମାନେ ଜନ୍ତର ମନ୍ତରରେ ଧାରଣାରେ ବସିଥିଲେ। ସିଂହ ଏବଂ ସଂଘ ବିରୋଧରେ ସେମାନେ ଯୌନ ଶୋଷଣ ସମେତ ଅନ୍ୟାନ୍ୟ ଅଭିଯୋଗ ଆଣିଥିଲେ। ଏହାପରେ କ୍ରୀଡ଼ା ମନ୍ତ୍ରାଳୟ ହସ୍ତକ୍ଷେପ କରି ତଦନ୍ତ କମିଟି ଗଠନ କରିଥିଲା। କମିଟିର ରିପୋର୍ଟ ଦାଖଲ ସମୟ ସୀମା ୪ ସପ୍ତାହରୁ ୬ ସପ୍ତାହକୁ ବୃଦ୍ଧି କରାଯାଇଛି। ୩ ମାସ ବିତି ଯାଇଥିଲେ ମଧ୍ୟ ଆମକୁ ନ୍ୟାୟ ମିଳିନାହିଁ ବୋଲି ଭିନେଶ କହିଛନ୍ତି। ତେଣୁ ଆମେ ଆନ୍ଦୋଳନକୁ ଫେରିଛୁ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ଏଠାରେ ଖାଇବୁ ଏବଂ ଶୋଇବୁ ବୋଲି ଭିନେଶ କହିଛନ୍ତି।