ଭୁବନେଶ୍ବର: ଝାଡ଼ଖଣ୍ଡ-ଓଡ଼ିଶା ଭିତରେ ଓଡ଼ିଆ ଭାଷାକୁ ନେଇ ମୁଣ୍ଡ ଟେକିଥିବା ବିବାଦ ଥମୁନି। ଦିନକୁ ଦିନ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। ଏବେ ବି ଝାଡ଼ଖଣ୍ଡ ଶିକ୍ଷା ବିଭାଗରେ ‘ଓଡ଼ିଆ’ ଦ୍ୱିତୀୟ ଭାଷା ଭାବେ ରହିଛି। ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଏହା ସ୍ପଷ୍ଟ କରିଛନ୍ତି। ଓଡ଼ିଆ ଭାଷାକୁ କେବଳ ଝାଡ଼ଖଣ୍ଡର ଶିକ୍ଷା ବିଭାଗ ଅବହେଳା କରିନାହିଁ, ଅନେକ କ୍ଷେତ୍ରରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଛି।
ରେଳଷ୍ଟେସନ, ରେଡିଓ ଷ୍ଟେସନରେ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ଝାଡ଼ଖଣ୍ଡରେ ପ୍ରଚଳିତ ଓଡ଼ିଆ ଭାଷାରେ ଗବେଷଣା କରୁଥିବା ଗବେଷକ ସନ୍ତୋଷ ଗୌର। ତାଙ୍କ ଅଭିଯୋଗ ଅନୁସାରେ, ଝାଡ଼ଖଣ୍ଡର ଚାଇଁବସାରେ ଅଲ ଇଣ୍ଡିଆ ରେଡିଓ ଷ୍ଟେସନରେ ଓଡ଼ିଆ ଭାଷାରେ କୌଣସି କାର୍ଯ୍ୟକ୍ରମ ପ୍ରସାରଣ ହେଉନାହିଁ। କେବଳ ଏତିକି ନୁହେଁ, ଚାଇଁବସାରେ ରେଳ ଷ୍ଟେସନରେ ଲାଗିଥିବା ଫଳକରେ ମଧ୍ୟ ଓଡ଼ିଆ ଭାଷାରେ ଲେଖା ନାହିଁ। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଅଞ୍ଚଳରେ ପ୍ରାୟ ୬୦ ପ୍ରତିଶତ ଓଡ଼ିଆ ଭାଷାଭାଷୀ ଲୋକ ବସବାସ କରୁଥିବା ସେ ଦାବି କରିଛନ୍ତି।