କର୍ଣ୍ଣାଟକରେ ସଂକ୍ରମଣ ମାମଲା ୩ ଦିନରେ ଦ୍ବିଗୁଣା‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ କୋଭିଡ୍‌ ସଂକ୍ରମଣ ଲଗାତାର ବଢ଼ୁଛି। ରାଜ୍ୟର ୩୦ ଜିଲ୍ଲାରୁ ଅର୍ଦ୍ଧାଧିକ ଜିଲ୍ଲା‌ରେ ଟେଷ୍ଟ୍‌ ପଜିଟିଭ୍‌ ହାର (ଟିପିଆର୍‌) ୨ ଅଙ୍କ ସଂଖ୍ୟା ଉପରେ ରହୁଛି। ୨ଟି ଜିଲ୍ଲାରେ ଟେଷ୍ଟ୍‌ ପଜିଟିଭ୍‌ ହାର ୨୨ରୁ ୨୫ ପ୍ରତିଶତ ଏବଂ ୪ଟି ଜିଲ୍ଲାରେ ଟେଷ୍ଟ୍‌ ପଜିଟିଭ୍‌ ହାର ୧୫ ପ୍ରତିଶତରୁ ଅଧିକ ରହୁଛି। ଗତ କିଛି ଦିନ ଧରି କର୍ଣ୍ଣାଟକରେ ରେକର୍ଡ ଟେଷ୍ଟ୍‌ କରାଯାଉଛି। ଫଳରେ ମାତ୍ର ୩ ଦିନରେ ରାଜ୍ୟରେ ସଂକ୍ରମଣ ମାମଲା ଦ୍ବିଗୁଣା ହୋଇଛି। ସେହିପରି ୨୦ ବର୍ଷରୁ କମ୍‌ ବୟସର ପିଲାଙ୍କ କ୍ଷେତ୍ରରେ ସଂକ୍ରମଣ ଦ୍ବିଗୁଣାରୁ ଅଧିକ ରହୁଛି। ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ଜାନୁଆରି ୧୬ ସୁଦ୍ଧା ରାଜ୍ୟରେ ଟିପିଆର୍‌ (ଟେଷ୍ଟ୍‌ ପଜିଟିଭିଟି ହାର)୧୯.୩ ପ୍ରତିଶତ ରହିଛି। ଚଳିତ ମାସ ଆରମ୍ଭରେ ରାଜ୍ୟରେ ଟିପିଆର୍‌ ମାତ୍ର ୨ ପ୍ରତିଶତ ଥିଲା। ଜିଲ୍ଲାୱାରି ମିଳିଥିବା ଟିପିଆର୍‌ ତଥ୍ୟ ଅନୁଯାୟୀ ‌କୋଲାର ଜିଲ୍ଲାରେ ସର୍ବାଧିକ ୨୫ ପ୍ରତିଶତ ଟିପିଆର ଥିବାବେଳେ ତୁମାକୁଡ଼ୁରେ ୨୪.୩ ପ୍ରତିଶତ ଏବଂ ବେଙ୍ଗାଲୁରୁ ସହରାଞ୍ଚଳ ଟିପିଆର ୨୨.୩ ପ୍ରତିଶତ ଏବଂ ବେଙ୍ଗାଲୁରୁ (ଗ୍ରାମାଞ୍ଚଳ)ରେ ୧୯.୯ ପ୍ରତିଶତ ରହିଛି। ହାଭେରିରେ ସବୁଠାରୁ କମ୍‌ ଟିପିଆର୍‌ ୨.୫ ପ୍ରତିଶତ ରହିଛି। କର୍ଣ୍ଣାଟକରେ ଲଗାତାର ସଂକ୍ରମଣ ବଢ଼ୁଥିବାରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଏବଂ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡିକେ ସୁଧାକର ଆଜି ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି।

ସମ୍ବନ୍ଧିତ ଖବର