କେରଳରେ ୧୫ଟି ଜିକା ଭୂତାଣୁ ମାମଲା ଚିହ୍ନଟ; ତାମିଲନାଡ଼ୁ, କର୍ଣ୍ଣାଟକରେ ସତର୍କତା ବୃଦ୍ଧି

ତିରୁୱନନ୍ତପୁରମ୍: ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଆଉ ଏକ ମାମଲା ନିଶ୍ଚିତ କରିବା ପରେ କେରଳରେ ଜିକା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଲାପୂଝାକୁ ପଠାଯାଇଥିବା ନାନ୍‌ଥାନ୍‌କୋଡ୍‌ର ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ନମୁନା ପଜିଟିଭ୍ ଥିବା ଜଣାପଡ଼ିଛି। ଏହାପରେ ପଡ଼ୋଶୀ ତାମିଲନାଡ଼ୁ ଓ କର୍ଣ୍ଣାଟକ ସତର୍କତାମୂଳକ ପଦକ୍ଷେପ ବଢ଼ାଇଦେଇଛନ୍ତି, ଯଦିଚ ଜିକା ମଶା କାମୁଡ଼ିବା ଦ୍ବାରା ଏହି ରୋଗ ଜଣକଠାରୁ ଅନ୍ୟ ଜଣଙ୍କୁ ବ୍ୟାପିପାରେ। ତାମିଲନାଡ଼ୁର କୋଏମ୍ବାଟୁର ପ୍ରଶାସନ ତାମିଲନାଡ଼ୁ-କେରଳ ସୀମାରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରିଛି, ଯେଉଁଠାରେ ଆଗରୁ ହିଁ ଇ-ପାସ୍ ବାଧ୍ୟତାମୂଳକ ରହିଛି।

କର୍ଣ୍ଣାଟକର ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ଭେକ୍ଟର ନିୟନ୍ତ୍ରଣ ପଦକ୍ଷେପକୁ ଜୋରଦାର କରିବାକୁ କହିବା ସହ ଦକ୍ଷିଣ କନ୍ନଡ଼, ଉଡ଼ୁପି, ଚାମରାଜନଗରକୁ ଅଧିକ ସତର୍କ ରହିବାକୁ କହିଛି। କେରଳରେ ଜିକା ଭୂତାଣୁ ଜନିତ ରୋଗ ଚିହ୍ନଟ ହେବା ପରେ ପଡ଼ୋଶୀ ରାଜ୍ୟଗୁଡ଼ିକ ସତର୍କ ରହିବା ଜରୁରୀ। ନ ହେଲେ ଏ ମାରାତ୍ମକ ରୋଗ ଅନ୍ୟ ରାଜ୍ୟଗୁଡ଼ିକୁ ବ୍ୟାପିଯାଇପାରେ ବୋଲି କୁହାଯାଇଛି। ବର୍ତ୍ତମାନ ବର୍ଷା ଋତୁ ହେତୁ ଜିକା ଭୂତାଣୁଙ୍କ ସଂକ୍ରମଣ ପାଇଁ ଦାୟୀ ଏଡିସ୍ ମଶାଙ୍କ ବଂଶବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ମଶା ଡେଙ୍ଗୁ ଓ ଚିକୁନଗୁନିଆ ରୋଗର ସଂକ୍ରମଣ ପାଇଁ ମଧ୍ୟ ଦାୟୀ।

ସୂଚନାଯୋଗ୍ୟ ଯେ, କେରଳରେ ଗୁରୁବାର ପ୍ରଥମେ ଜିକା ସଂକ୍ରମଣର ରିପୋର୍ଟ ମିଳିଥିଲା। ଜଣେ ୨୪ ବର୍ଷୀୟା ମହିଳା ଜ୍ବର, ମୁଣ୍ଡବିନ୍ଧା ଓ ଦେହରେ ନାଲି ନାଲି ଫଳିଯିବା ହେତୁ ଜୁନ୍ ୨୮ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା, ଯେଉଁଥିରୁ ଜିକା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଜୁଲାଇ ୭ରେ ମହିଳା ଜଣକ ସ୍ବାଭାବିକ ଭାବେ ଏକ ସନ୍ତାନ ପ୍ରସବ କରିଛନ୍ତି।

ସମ୍ବନ୍ଧିତ ଖବର