କେରଳରେ ୪୨ ହଜାର ନୂଆ ସଂକ୍ରମଣ ମାମଲା: କେରଳ, ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଆଜି ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ମେ’ ୮ରୁ ୧୬ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏବେ କେରଳରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ହୋଇଥିବା ବେଳେ ଆସନ୍ତା ୮ରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ମେ’ ୪ରୁ ରାଜ୍ୟରେ ଲକ୍‌ଡାଉନ୍‌ ପରି କଟକଣା ଜାରି ହୋଇଛି। ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୩୦ ହଜାର ଟପିବା ପରେ ଏହି ନିଷ୍ପତ୍ତି ହୋଇଛି। ବୁଧବାର ଦିନ କେରଳରେ ଦୈନିକ ସଂକ୍ରମଣ ମାମଲା ୪୦ ହଜାରରୁ ଅଧିକ ଥିଲା। ଆଜି ପୁଣି ରାଜ୍ୟରେ ୪୨,୪୬୪ ନୂଆ ମାମଲା ଚିହ୍ନଟ ହୋଇଛି।

ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଗତ ୨ ସପ୍ତାହ ହେବ ପଜିଟିଭ୍‌ ହାର ୨୦ ପ୍ରତିଶତରୁ ଅଧିକ ରହୁଛି । ରାଜ୍ୟରେ ‌ମୋଟ୍‌ ପଜିଟିଭ୍‌ ହାର ୨୭.୨୮ ପ୍ରତିଶତ ରହିଛି। ଅନ୍ୟ କୌଣସି ବିକଳ୍ପ ନଥିବାରୁ ସରକାର ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ମଧ୍ୟପ୍ରଦେଶ ସରକାର ମଧ୍ୟପ୍ରଦେଶରେ ମେ’ ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଏବେ ସବୁକିଛି ବନ୍ଦ କରିଦେବାର ସମୟ ଆସିଛି। ୧୮ ପ୍ରତିଶତ ପଜିଟିଭ୍‌ ହାର ଭିତରେ ରାଜ୍ୟରେ ସବୁକିଛି ଖୋଲା ରହିପାରିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର