ଆଇନ-ଶୃଙ୍ଖଳା ପରିସ୍ଥିତି ଯୋଗୁଁ ମଣିପୁରରେ ୫ ଦିନ ଲାଗି ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ

ଇମ୍ଫାଲ୍‌: ଶନିବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ଫୌଗାକ୍‌ଚାଓ ଇଖାଙ୍ଗ୍‌ରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୩/୪ଜଣ ଲୋକ ଗୋଟାଏ ଇକୋ-ଭ୍ୟାନ୍‌ ପୋଡ଼ି ପକାଇବା ପରେ ସମଗ୍ର ମଣିପୁରରେ ୫ ଦିନ ପାଇଁ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ଆଦେଶ ଦେଇଛନ୍ତି।

ଉପରୋକ୍ତ ଗାଡ଼ିପୋଡ଼ି ଘଟଣାରେ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ଆଇନ-ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି।

ରାଜ୍ୟ ସରକାର ଜାରି କରିଥିବା ଆଦେଶନାମାରେ ଉଲ୍ଲେଖ ଅଛି, ସର୍ବସାଧାରଣଙ୍କ ମନ୍ଦ ଭାବନାକୁ ଜାଗ୍ରତ କରିବା ଭଳି ଫଟୋ, ଘୃଣ୍ୟ ଭାଷଣ ଓ ଘୃଣ୍ୟ ଭିଡିଓ ପ୍ରସାରଣ ନିମନ୍ତେ କେତେକ ଅସାମାଜିକ ତତ୍ତ୍ବ ସାମାଜିକ ଗଣମାଧ୍ୟମକୁ ଉପଯୋଗ କରୁଛନ୍ତି। ଗୁଜବ ସୃଷ୍ଟିକାରୀମାନେ ମଧ୍ୟ ରାଜ୍ୟରେ ଅଧିକ ଆଇନ-ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଅଛି। ଏସବୁ ପ୍ରତି ଦୃଷ୍ଟି ଦେଇ ରାଜ୍ୟରେ ଇଣ୍ଟର୍‌ନେଟ୍‌ ଡାଟା ସେବା ସ୍ଥଗିତ ରଖାଯାଇଛି।

Image Courtesy of ET Telcom

ବିଷ୍ଣୁପୁର ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଧ୍ୟ ଶନିବାର ସନ୍ଧ୍ୟାରୁ ଆରମ୍ଭ କରି ଆଗାମୀ ୨ ମାସ ପର୍ଯ୍ୟନ୍ତ ବିଷ୍ଣୁପୁର ଏବଂ ଚୂଡ଼ଚନ୍ଦନପୁରରେ ୧୪୪ ଧାରା ଜାରି କରାଯାଇଛି। ଫଳରେ ଜିଲ୍ଲାରେ ବହୁସଂଖ୍ୟରେ ଜନସମାବେଶ ନିଷେଧ କରାଯାଇଛି।

ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ ଅନୁସାରେ, ‘ଅଲ୍‌ ଟ୍ରାଇବାଲ୍‌ ଷ୍ଟୁଡେଣ୍ଟ୍‌ ୟୁନିୟନ୍‌ ମଣିପୁର’ (ଏଟିଏସ୍‌ୟୁଏମ୍‌) ଶୁକ୍ରବାର ସକାଳୁ ଜାତୀୟ ରାଜପଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ଅର୍ଥନୈତିକ ଅବରୋଧ’ ଆରମ୍ଭ କରିବା ପରେ ରାଜ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଛି।

ବିଧାନସଭାରେ ‘ମଣିପୁର (ପାର୍ବତ୍ୟ ଅଞ୍ଚଳ) ଅଟୋନମସ୍‌ ଡିଷ୍ଟ୍ରିକ୍ଟ୍‌ କାଉନ୍‌ସିଲ୍‌ ବିଲ୍‌ ୨୦୨୧’ ଉପସ୍ଥାପନ କରାଇବା ପାଇଁ ଦାବି କରି ଛାତ୍ର ସଙ୍ଗଠନ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

ସମ୍ବନ୍ଧିତ ଖବର