ଉପସାଗରୀୟ ରାଷ୍ଟ୍ରରେ ବଢ଼ିଲା ସଂକ୍ରମଣ, ମେକ୍ସିକୋରେ ମୃତ୍ୟୁସଂଖ୍ୟା ୩୦ ହଜାର ଟପିଲା

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ମହାମାରୀ ସହ ଲଢ଼ୁଛି ବ୍ରାଜିଲ୍‌

ନୂଆଦିଲ୍ଲୀ: ଉପସାଗରୀୟ ରାଷ୍ଟ୍ରମାନଙ୍କରେ କରୋନା କଟକଣା ହଟିବା ପରେ ହଠାତ୍‌ ସଂକ୍ରମଣ ବଢ଼ିଯାଇଛି। ସାଉଦି ଆରବରେ ସଂକ୍ରମଣ ମାମଲା ୨ ଲକ୍ଷ ଟପିଥିବା ବେଳେ ପଡ଼ୋଶୀ ୟୁଏଇରେ ୫୦ ହଜାର ଟପିଯାଇଛି। ଗତମାସରେ କର୍ଫ୍ୟୁ ହଟିବା ପରେ ୟୁଏଇ ଏବଂ ସାଉଦି ଆରବରେ ସଂକ୍ରମଣ ବଢ଼ିଛି। ତେବେ ୬ ଉପସାଗରୀୟ ରାଷ୍ଟ୍ର ମଧ୍ୟରୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ସାଉଦି ଆରବ। ଶୁକ୍ରବାର ଏବଂ ଶନିବାର ଏଠାରେ ୪ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସାଉଦି ଆରବ୍‌ରେ ମୋଟ୍‌ ମାମଲା ୨ ଲକ୍ଷ ୬ ହଜାର ଥିବାବେଳେ ମୃତ୍ୟୁସଂଖ୍ୟା ୪ ହଜାର ଅତିକ୍ରମ କରିଛି। ୟୁଏଇରେ ମେ’ ଶେଷ ବେଳକୁ ସଂକ୍ରମଣ ବଢ଼ିଥିଲା। କିନ୍ତୁ ଏବେ ଧୀରେ ଧୀରେ ୟୁଏଇରେ ସଂକ୍ରମଣ କମୁଥିଲେ ମଧ୍ୟ ମୋଟ୍‌ ମାମଲା ୫୦ ହଜାର ୮୫୭ରେ ପହଞ୍ଚିଛି। ଅନ୍ୟପକ୍ଷେ ଦୁବାଇ ଆସନ୍ତା ୭ ତାରିଖରୁ ବିଦେଶୀ ନାଗରିକଙ୍କ ପାଇଁ ଖୋଲିବ। ଅନ୍ୟ ଉପସାଗରୀୟ ରାଷ୍ଟ୍ର କତାର, ବାହ‌ରେନ୍‌ ଏବଂ ଓମାନ୍‌ରେ ବି କଟକଣା‌ କୋହଳ କରାଯାଇଥିବାବେଳେ ସଂକ୍ରମଣ ବଢ଼ୁଛି।

ମେକ୍ସିକୋ ସିଟିରେ କରୋନା ମୃତ୍ୟୁସଂଖ୍ୟା ୩୦ ହଜାର ଟପିଯାଇଛି। ବିଶ୍ବରେ ପଞ୍ଚମ ରାଷ୍ଟ୍ରଭାବେ ମେକ୍ସିକୋରେ କରୋନା ମୃତ୍ୟୁସଂଖ୍ୟା ୩୦ ହଜାର ୩୬୬ ରହିଛି। କିନ୍ତୁ ଆମେରିକା ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର। ଆମେରିକାରେ ସଂକ୍ରମଣ ମାମଲା ପୂର୍ବଦିନ ଅପେକ୍ଷା ଆଜି କମ୍‌ ଥିବା ଜଣାପଡ଼ିଛି। ଆମେରିକାରେ ଗତକାଲି ୪୫ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୨୪୨ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨୯ ଲକ୍ଷ ୩୬ ହଜାର ଟପିଯାଇଛି। ଆମେରିକା ପରେ ବ୍ରାଜିଲ୍‌ରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବ୍ରାଜିଲ୍‌ରେ କରୋନା ସଂକ୍ରମଣ ମାମଲା ୧୫ ଲକ୍ଷ ୭୮ ହଜାର ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୬୪ ହଜାରରୁ ଅଧିକ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିନା ସ୍ବାସ୍ଥ୍ୟମନ୍ତ୍ରୀରେ ବ୍ରାଜିଲ୍‌ କରୋନା ମହାମାରୀ ସହ ଲଢ଼ୁଛି। ବ୍ରାଜିଲ୍‌ ପୂର୍ବ ସ୍ବାସ୍ଥ୍ୟମନ୍ତ୍ରୀ ନେଲସନ୍‌ ଗତ ମେ’ ୧୫ରୁ ଇସ୍ତଫା ଦେବା ପରଠାରୁ ବ୍ରାଜିଲ୍‌ରେ ସ୍ବାସ୍ଥ୍ୟମନ୍ତ୍ରୀ ନାହାନ୍ତି। ସ୍ବାସ୍ଥ୍ୟସେବାରେ କୌଣସି ଅଭିଜ୍ଞତା ନଥିବା ଜଣେ ଆର୍ମି ଜେନେରାଲ ବ୍ରାଜିଲ୍‌ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦାୟିତ୍ବ ତୁଲାଉଛନ୍ତି। ବିଶ୍ବରେ ଏବେ ସଂକ୍ରମଣ ମାମଲା ୧ କୋଟି ୧୪ ଲକ୍ଷ ଟପିଥିବାବେଳେ ୫ ଲକ୍ଷ ୩୫ ହଜାର ଲୋକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର