ନୂଆଦିଲ୍ଲୀ: ସମଗ୍ର ଦେଶର ପୌରାଞ୍ଚଳରେ ଥିବା ଆବାସିକ ପରିସରସ୍ଥିତ ଦୋକାନ ସମେତ ସ୍ଥାନୀୟ ଦୋକାନ ଏବଂ ଦୂରଛଡ଼ା ହୋଇ ରହିଥିବା ଦୋକାନଗୁଡ଼ିକୁ ଖୋଲିବାକୁ ଶୁକ୍ରବାର ମଧ୍ୟରାତ୍ରୀରେ ସରକାର ଅନୁମତି ଦେଇଛନ୍ତି। କିନ୍ତୁ, ଏଥିପାଇଁ ଦୋକାନରେ କର୍ମଚାରୀ ସଂଖ୍ୟା ଅଧା କମିବା ସହ କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ସମସ୍ତ ପ୍ରତିରୋଧକ ବ୍ୟବସ୍ଥା, ମାସ୍କ୍ ପିନ୍ଧିବା ଏବଂ ଲୌକିକ ଦୂରତ୍ବ ଆଦି ଅନୁସରଣ କରିବାକୁ ପଡ଼ିବ। ଏହାଛଡ଼ା ହଟ୍ସ୍ପଟ୍ ଏବଂ କଣ୍ଟେନ୍ମେଣ୍ଟ୍ ଜୋନ୍ ନିମନ୍ତେ ଏହି ଆଦେଶ ଲାଗୁହେବ ନାହିଁ।
କିନ୍ତୁ, ପୌରାଞ୍ଚଳର ମାର୍କେଟ୍ ପ୍ଲେସ୍ରେ ଥିବା ଦୋକାନ, ମଲ୍ଟି ବ୍ରାଣ୍ଡ୍ ଏବଂ ସିଙ୍ଗଲ୍ ବ୍ରାଣ୍ଡ୍ ମଲ୍ଗୁଡ଼ିକ ମେ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ଆଦେଶରେ ଉଲ୍ଲେଖ କରାଯାଇଛି। ଏହି ମଧ୍ୟରାତ୍ରୀ ଆଦେଶନାମାରେ ଦସ୍ତଖତ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା।
#COVID19 update
All registered shops regd under Shops & Establishment Act of respective States/ UTs, including shops in residential complexes, neighborhood & standalone shops exempted from #lockdown restrictions.Prohibited: Shops in single & multi brand malls pic.twitter.com/NNz9abgWdA
— Spokesperson, Ministry of Home Affairs (@PIBHomeAffairs) April 24, 2020
ଶନିବାର ଠାରୁ ଦୋକାନ ଖୋଲିବାକୁ ଏହି ଆଦେଶନାମାରେ ଅନୁମତି ପ୍ରଦାନ କରାଯାଇଛି। ଗ୍ରାମୀଣ ଏବଂ ଅର୍ଦ୍ଧଗ୍ରାମୀଣ ଅଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲାଯିବାକୁ ଏଥିରେ ଅନୁମତି ଦିଆଯାଇଛି। ସ୍ଥାନୀୟ ସେଲୁନ୍ ଓ ପାର୍ଲର୍ ମଧ୍ୟ ଖୋଲାଯାଇ ପାରିବ ବୋଲି ଏଥିରେ ନିର୍ଦେଶ ଦିଆଯାଇଛି। ନଗରାଞ୍ଚଳରେ ଥିବା ଆବାସିକ ଅଞ୍ଚଳ କିଂବା ଦୂରଛଡ଼ା ହୋଇ ରହିଥିବା ଦୋକାନରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯାଇ ପାରିବ ବୋଲି କୁହାଯାଇଛି। କିନ୍ତୁ, ଗ୍ରାମୀଣ ଅଞ୍ଚଳରେ ସବୁ ପ୍ରକାର ଦୋକାନରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ନିମନ୍ତେ ଅନୁମତି ମିଳିଛି।