ସ୍କର୍ପିଓରେ ଇଭିଏମ ଷ୍ଟ୍ରଙ୍ଗରୁମ୍‌ ପାଚେରୀ ଭାଙ୍ଗି ଭିତରକୁ ପଶିବା ଉଦ୍ୟମ, ୨ ଗିରଫ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ସରିଯାଇଛି। ଇଭିଏମ ମେସିନ୍‌ଗୁଡ଼ିକୁ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗରୁମ୍‌ ଭିତରେ ରଖାଯାଇଛି। ତେବେ ରବିବାର ବିଳମ୍ବିତ ରାତିରେ ଏକ ଅପ୍ରୀତିକର ଘଟଣା ଘଟିଛି ମଧ୍ୟପ୍ରଦେଶରର ସାତନା ନିବାଚନ ମଣ୍ଡଳୀରେ। ସାତନା ନିର୍ବାଚନ ମଣ୍ଡଳୀରେ ଥିବା ଇଭିଏମ ଷ୍ଟ୍ରଙ୍ଗ ରୁମ୍‌ ଭାଙ୍ଗିବା ପାଇଁ କେତେକ ଯୁବକ ଦୃତଗତିରେ ଏକ ଏସୟୁଭିରେ ଆସି ଷ୍ଟ୍ରଙ୍ଗରୁମ୍‌ର ପାଚରୀକୁ ଧକ୍କା ଦେଇ ଭାଙ୍ଗି ଦେଇଛନ୍ତି। ତେବେ ଏହି ଘଟଣା ପରେ ପୁଲିସ ସଙ୍ଗେ ସଙ୍ଗେ ଇଭିଏମ ଷ୍ଟ୍ରଙ୍ଗରୁମ୍‌ ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ୨ ଜଣଙ୍କୁ ଗିରଫ କରିଥିବା ବେଳେ ୪ ଜଣ ଫେରାର ହୋଇ ଯାଇଛନ୍ତି। ଅପରପକ୍ଷେ ଏହି ଘଟଣା ପରେ ଇଭିଏମ ମେସିନର ସୁରକ୍ଷାନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ଦଳ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ନିଶାସକ୍ତ ଅବସ୍ଥାରେ ୬ ଜଣ ଯୁବକ ଏମପି ୧୯ସିବି ୦୫୦୫ କଳା ରଙ୍ଗର ସ୍କର୍ପିଓ ଗାଡ଼ିରେ ଦୃତ ଗତିରେ ଆସି ଷ୍ଟ୍ରଙ୍ଗରୁମ୍‌ ପାଚରୀକୁ ଧକ୍କାଦେଇ ଭାଙ୍ଗି ଦେଇଥିଲେ। ସେମାନେ ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ଏଥିରେ ସଫଳ ହୋଇ ପାରି ନାର୍ହଁନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକଦ୍ୱୟ ଦେଲେ ପ୍ରମୋଦ ଯାଦବ ଓ ରୁଦ୍ର କୁଶଓ୍ଵାହା ବୋଲିି କୋଟଓ୍ଵାଲି ଥାନା ଇନ୍‌ଚାର୍ଜ ବିଦ୍ୟାଧର ପାଣ୍ଡେ କହିଛନ୍ତି। ଏହି ଘଟଣାରେ ୪ ଜଣ ଫେରାର ହୋଇଯାଇଥିିବା ବେଳେ ବ୍ୟବହୃତ ଏସୟୁଭିଟିକୁ ଜବତ କରାଯାଇଛି। ତେବେ ଗିରଫ ଓ ଫେରାରମାନଙ୍କର କୌଣସି ରାଜନୈତିକ ଦଳ ସହିତ ସମ୍ପୃକ୍ତି ଥିବା ଜଣାପଡ଼ିନାହିଁ ବୋଲିି ଶ୍ରୀ ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର