ନେପାଳ‌ ରାଜନୈତିକ ସଙ୍କଟରେ ଚୀନ୍ ରାଷ୍ଟ୍ରଦୂତ ହୌ ୟାଙ୍କିଙ୍କ ଚାପ

ନୂଆଦିଲ୍ଲୀ: ନେପାଳରେ ଉପୁଜିଥିବା ରାଜନୈତିକ ସଙ୍କଟ ପୂର୍ବପରି ଥିବା ବ‌େଳେ କରୋନାଭାଇରସ୍ ସଂକ୍ରମଣ ଦମନ ପାଇଁ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରି କରିବାକୁ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ରାଷ୍ଟ୍ରପତି ବି. ଡି. ଭଣ୍ଡାରୀଙ୍କ ସହ ଆଲୋଚନା କରିଛନ୍ତି। ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରି ହେଲେ ଅସନ୍ତୁଳିତ ବୈଦେଶିକ ନୀତି ଯୋଗୁଁ ନିଜ ଦଳରେ ତୀବ୍ର ବିରୋଧର ସମ୍ମୁଖୀନ ହେଉଥିବା ପ୍ରଧାନମନ୍ତ୍ରୀ ‌ଓଲି ମଧ୍ୟ ନିସ୍ତାର ପାଇଯିବେ।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରି କରିବାକୁ ରାଷ୍ଟ୍ରପତି ଭଣ୍ଡାରୀ ଆଗ୍ରହୀ ନୁ‌ହନ୍ତି। ବରଂ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି, ଆଲୋଚନା ମାଧ୍ୟମରେ ନେତାମାନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟର ସମାଧାନ କରନ୍ତୁ। ଶକ୍ତିଶାଳୀ ନେପାଳୀ ସେନା ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତରେ ସୈନିକ ମୁତୟନ କରିବା ସପକ୍ଷରେ ନାହାନ୍ତି।

Image Courtesy of TFIPost

ତେଣୁ, ରାଜନୈତିକ ମତପାର୍ଥକ୍ୟ ସମାଧାନ ନିମନ୍ତେ ଆଜି ପୁଣି ପ୍ରଧାନମନ୍ତ୍ରୀ ଓଲି ନେପାଳୀ କମ୍ୟୁନିଷ୍ଟ୍‌ ପାର୍ଟିର ସହ-ଅଧ୍ୟକ୍ଷ ପି. କେ. ଦହଲଙ୍କୁ ଭେଟି ଆଲୋଚନା କରିବେ। କିନ୍ତୁ, ଓଲି ସ୍ପଷ୍ଟ କରି କହିଛନ୍ତି ଯେ, ଦଳ ବିଭାଜନ ବରଂ ବିଭାଜନ ହୋଇଯାଉ, ସେ କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ।

କାଠମଣ୍ଡୁରେ କ୍ଷମତା ଅକ୍ତିଆର ଖେଳ ଚାଲିଥିବା ବେଳେ ଏଥିରେ ଇନ୍ଧନ ଯୋଗାଉଛନ୍ତି ନେପାଳସ୍ଥିତ ଚୀନ୍ ରାଷ୍ଟ୍ରଦୂତ ହୌ ୟାଙ୍କି। ସେ ନେପାଳ କମ୍ୟୁନିଷ୍ଟ୍ ପାର୍ଟିର ନେତାଙ୍କୁ ଉପରେ ଚାପ ପକାଇ କହୁଛନ୍ତି ଯେ, ସେମାନେ ପୂର୍ବ ଅବସ୍ଥାକୁ ଚାଲି ଆସନ୍ତି। ନେପାଳ କମ୍ୟୁନିଷ୍ଟ୍ ପାର୍ଟିର ଜଣେ ବରିଷ୍ଠ ନେତା ହୌଙ୍କ ସହ ବୈଠକ ସମୟରେ କହିଥିଲେ କି, ପ୍ରଧାନମନ୍ତ୍ରୀ ଓଲିଙ୍କ ବିନା ମଧ୍ୟ ଦଳ ସୁଦୃଢ଼ ରହିବ। ନେପାଳରେ ଚୀନ୍ ରାଷ୍ଟ୍ରଦୂତଙ୍କ ଏତାଦୃଶ କାର୍ଯ୍ୟକଳାପ ଯୋଗୁଁ ସେ ତୀବ୍ର ସମାଲୋଚନାର ସରବ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର