‘ମାଇଁ ଲର୍ଡ’ ଓ ‘ଇଓର୍‌ ଲର୍ଡସିପ୍‌’ ବୋଲି ସମ୍ବୋଧନ ନ କରିବାକୁ ଓକିଲମାନଙ୍କୁ ଅନୁରୋଧ କଲେ ଜଷ୍ଟିସ୍‌ ଏସ୍‌. ମୁରଲୀଧର

ନୂଆଦିଲ୍ଲୀ: ତାଙ୍କୁ ସମ୍ବୋଧନ କରିବା ବେଳେ ‘ମାଇଁ ଲର୍ଡ’ ଓ ‘ଇଓର୍‌ ଲର୍ଡସିପ୍‌’ ବ୍ୟବହାର ନ କରିବାକୁ ଓକିଲମାନଙ୍କୁ ସୋମବାର ଦିନ
ଅନୁରୋଧ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର।

ସୋମବାର ପାଇଁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ମାମଲାରେ ସେ ଏକ ନୋଟ୍‌ ଦେଇଛନ୍ତି। ଏଥିରେ ଉଲ୍ଲେଖ ଅଛି: ବାର୍‌ ଆସୋସିଏସନ୍‌ର ସଦସ୍ୟମାନଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉଛି ଯେ ତାଙ୍କୁ ସମ୍ବୋଧନ (ଏସ୍‌ ମୁରଲୀଧର) କରିବା ସମୟରେ ‘ଇଓର୍‌ ଲର୍ଡସିପ୍‌’ କିଂବା ‘ମାଇଁ ଲର୍ଡ’ ବ୍ୟବହାର କରନ୍ତୁ ନାହିଁ।

Image Source: The Week

ସ୍ମରଣଯୋଗ୍ୟ ଯେ ବିଚାରପତିମାନଙ୍କୁ ‘ସାର୍‌’ କିଂବା ‘ଇଓର୍‌ ଅନର୍‌’ ବୋଲି ସମ୍ବୋଧନ କରିବାକୁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ତା’ର ସଦସ୍ୟମାନଙ୍କୁ କହିଥିଲା। ତଥାପି କେତେକ ଓକିଲ ‘ଇଓର୍‌ ଲର୍ଡସିପ୍‌’ ବ୍ୟବହାର କରୁଥିଲେ।

ଦିଲ୍ଲୀ ହାଇକୋର୍ଟରୁ ବଦଳି ହୋଇ ଆସିଥିବା ବିଚାରପତି ମୁରଲୀଧର ମାର୍ଚ ୬ ତାରିଖ ଦିନ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଅଡିଟରିୟମ୍‌ରେ ଶପଥ ଗ୍ରହଣ କରିଥିଲେ। ସେଠାରେ ତାଙ୍କୁ ବହୁସଂଖ୍ୟକ ଓକିଲ ଗୋଲାପଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ। ଏହାଛଡ଼ା ହାଇକୋର୍ଟକୁ ଯିବାର ପାଇଁ ରହିଥିବା ଅଧିକାଂଶ ରାସ୍ତାରେ ତାଙ୍କୁ ସ୍ୱାଗତ ଜଣାଇ ହୋର୍ଡିଙ୍ଗ୍‌ ଲଗାଯାଇଥିଲା। ସେଥିରେ ଉଲ୍ଲେଖ ଥିଲା: ଦିଲ୍ଲୀର କ୍ଷତି, ପଞ୍ଜାବର ଲାଭ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଲାଗି ଏସ୍‌ ମୁରଲୀଧର ଦିଲ୍ଲୀ ପୁଲିସର ବିଫଳତାକୁ ଦାୟୀ କରିଥିଲେ। ସେଥିଯୋଗୁଁ ତାଙ୍କୁ ଫେବ୍ରୁଆରି ୨୬ ତାରିଖ ବିଳମ୍ବିତ ରାତ୍ରୀରେ ବଦଳି କରାଯାଇଥିଲା।

ସମ୍ବନ୍ଧିତ ଖବର