ନୂଆଦିଲ୍ଲୀ: ଓଡ଼ିଶାରେ ସ୍ନାତକ ପାଠପଢ଼ିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଯୁକ୍ତି ଏତେଟା ଉତ୍ସାହଜନକ ନାହିଁ। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ସ୍ନାତକଙ୍କ (୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷ) ମଧ୍ୟରେ ବେକାରୀ ହାର ୨୧.୯ ପ୍ରତିଶତ ରହିଛି। ଏହି ହାର ଆଣ୍ଡାମାନ ଓ ନିକୋବରରେ ସର୍ବାଧିକ ୩୩ ପ୍ରତିଶତ ଥିବା ବେଳେ ଲଦାଖରେ ୨୬.୫ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୨୪ ପ୍ରତିଶତ ଓ ରାଜସ୍ଥାନରେ ୨୩.୧ ପ୍ରତିଶତ ରହିଛି ବୋଲି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଶ୍ରମ ଶକ୍ତି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଏହି ବେକାରୀ ହାର ଦେଶରେ ତୃତୀୟ ସର୍ବାଧିକ ରହିଛି। ଏହି ବେକାରୀ ହାର ଚଣ୍ଡିଗଡ଼ରେ ସର୍ବନିମ୍ନ ୫.୬ ପ୍ରତିଶତ ଥିବା ବେଳେ ଦିଲ୍ଲୀରେ ୫.୭ ପ୍ରତିଶତ ରହିଛି। ଶ୍ରମଶକ୍ତିରେ ଯେଉଁ ଲୋକମାନଙ୍କୁ ନିଯୁକ୍ତି ମିଳୁନାହିଁ ସେମାନଙ୍କୁ ବେକାର ବିଚାର କରାଯାଉଛି। ୨୦୧୭ ପରଠାରୁ କେନ୍ଦ୍ର ସରକାର ଏହି ସର୍ଭେ ଆରମ୍ଭ କରିଥିଲେ। ପୂର୍ବରୁ ପାଞ୍ଚଟି ବାର୍ଷିକ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଷଷ୍ଠ ବାର୍ଷିକ ରିପୋର୍ଟ ଜାରି କରାଯାଇଛି ଯେଉଁଥିରେ ୨୦୨୨ ଜୁଲାଇରୁ ୨୦୨୩ ଜୁନ୍ ପର୍ଯ୍ୟନ୍ତର ଏକ ବର୍ଷ ତଥ୍ୟକୁ ପ୍ରଦାନ କରାଯାଇଛି।