କଠୋର ହେଲେ ଶାହା, ଅଫିସରେ ଖୋଲିହେବନି ଫେସବୁକ-ହ୍ଵାଟ୍ସଆପ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର କର୍ମଚାରୀ ଏଣିକି ଅଫିସ କମ୍ପ୍ୟୁଟର, ଲାପଟପ ବା ମୋବାଇଲରେ ଫେସବୁକ ଓ ହ୍ଵାଟ୍ସଆପ ବ୍ୟବହାର କରିପାରିବେ ନାହିଁ | କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ସମସ୍ତ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ ପଲିସୀ ଅନୁସାରେ ଏହି ନିର୍ଦ୍ଦେଶନାମା ଜାରି କରିଛି | ମନ୍ତ୍ରାଳୟର କହିବା କଥା ସୋସିଆଲ ମିଡ଼ିଆର ବ୍ୟବହାର କରିବା ପୂର୍ବରୁ ଅନୁମତି ନେବା ନିହାତି ଆବଶ୍ୟକ |

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ସାଇବର ଅପରାଧ ଓ ଡାଟା ସୁରକ୍ଷାକୁ ଆଖି ଆଗରେ ରଖି ନିଆଯାଇଛି | ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରାଳୟର ସବୁ କେନ୍ଦ୍ରୀୟ କର୍ମଚାରୀ, ତୃତୀୟ ପକ୍ଷ କର୍ମଚାରୀ କୌଣସି ଅଧିକାରୀଙ୍କ କଥାବାର୍ତ୍ତା ବା ସୂଚନାକୁ ସାର୍ବଜନୀନ କରିପାରିବେ ନାହିଁ |

ମନ୍ତ୍ରାଳୟ ପକ୍ଷରୁ ଏ ସମ୍ବଦ୍ଧିତ ନିର୍ଦ୍ଦେଶ ନ ମିଳିବା ଯାଏଁ କୌଣସି ପୋଷ୍ଟ କରିହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି | ମନ୍ତ୍ରାଳୟର ଅଧିକାରୀଙ୍କ କହିବା ମୁତାବକ ସରକାରୀ ୱେବସାଇଟକୁ ହାକ କରିବା ପାଇଁ ବିଦେଶୀ ସଂଗଠନମାନେ ଦିନକୁ ଅତିକମରେ ୩୦ ଥର ଚେଷ୍ଟା କରିଛନ୍ତି | ଏହାକୁ ନଜରରେ ରଖି ଏଭଳି ନିର୍ଦ୍ଦେଶ ଦିଆଯାଇଛି |

ସମ୍ବନ୍ଧିତ ଖବର