ପାକିସ୍ତାନରେ ପେଟ୍ରୋଲ୍‌ ଠାରୁ କ୍ଷୀର ମହଙ୍ଗା; ଲିଟର୍‌ ପିଛା ୧୪୦ ଟଙ୍କା

କରାଚି: ମହରମ ଦିନ ପାକିସ୍ତାନର ପ୍ରମୁଖ ସହରଗୁଡ଼ିକରେ କ୍ଷୀରର ମୂଲ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା କଥା ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି। କରାଚି ଏବଂ ସିନ୍ଧ୍‌ ପ୍ରଦେଶରେ କ୍ଷୀର ଲିଟର୍‌ପିଛା ୧୪୦ ଟଙ୍କାରେ ବିକ୍ରି ହୋଇଛି।

ମଜାର କଥା ହେଉଛି ପାକିସ୍ତାନରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ କ୍ଷୀରର ମୂଲ୍ୟ ଠାରୁ କମ୍‌ ଅଛି। ମାତ୍ର ଦୁଇ ଦିନ ତଳେ ପେଟ୍ରୋଲ୍‌ ଲିଟରପିଛା ୧୧୩ ଟଙ୍କା ଏବଂ ଡିଜେଲ୍‌ ୯୧ ଟଙ୍କା ଦରରେ ବିକ୍ରୟ ହେଉଥିଲା।

ସିନ୍ଧର କେତେକ ଅଞ୍ଚଳରେ କ୍ଷୀର ଲିଟର୍‌ପିଛା ୧୪୦ ଟଙ୍କାରେ ବିକ୍ରୟ ହୋଇଥିବା ଖବର ମିଳିଛି।

ଜଣେ ଦୋକାନୀ କହିଛନ୍ତି: ହଠାତ୍‌ ଚାହିଦା ବଢ଼ିଯିବାରୁ ସମଗ୍ର କରାଚିରେ କ୍ଷୀର ଲିଟର୍‌ ପିଛା ୧୨୦ ଟଙ୍କାରୁ ୧୪୦ ଟଙ୍କାରେ ବିକ୍ରୟ ହୋଇଛି।

ମହରମ ସମୟରେ ସହରର ବିଭିନ୍ନ ପ୍ରାନ୍ତରେ ପବିତ୍ର ମାସର ପଟୁଆରରେ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ କ୍ଷୀର, ଫଳରସ ଏବଂ ଥଣ୍ଡାପାଣି ଅର୍ପଣ କରିବାକୁ ଷ୍ଟଲ୍‌ ସବୁ ଖୋଲିଥିଲା। ଏହି କାରଣରୁ କ୍ଷୀର ଚାହିଦା ଖୁବ୍‌ ବଢ଼ି ଯାଇଥିଲା।

ଷ୍ଟଲ୍‌ ବସାଇଥିବା ଜଣେ ବାସିନ୍ଦା କହନ୍ତି: ଆମେ ପ୍ରତିବର୍ଷ ଷ୍ଟଲ୍‌ ବସାଉ। ଏଥର କ୍ଷୀର ମୂଲ୍ୟ ବଢ଼ି ଯାଇଥିଲେ ବି ଆମେ ଷ୍ଟଲ୍‌ ବସାଇଲୁ। ସେ ଆହୁରି କହିଛନ୍ତି କି, ମହରମ ଯୋଗୁଁ କ୍ଷୀରର ମୂଲ୍ୟ ଏତେ ବଢ଼ିଯିବା ସେ ତାଙ୍କ ଜୀବନଦଶା ମଧ୍ୟରେ ଦେଖି ନାହାନ୍ତି।

କ୍ଷୀରର ମୂଲ୍ୟ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କରାଚିର କମିସନର୍‌ ଇଫ୍‌ତିଖାର୍‌ ଶାଲ୍‌ଓ୍ଵାନି ଏ ସଂକ୍ରାନ୍ତରେ କିଛି କରିପାରି ନାହାନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି।

କମିସନର୍‌ ଅଫିସ୍‌ ଧାର୍ଯ୍ୟ କରିଥିବା କ୍ଷୀର ଲିଟରପିଛା ମୂଲ୍ୟ ହେଉଛି ୯୪/-।

ସମ୍ବନ୍ଧିତ ଖବର