ସଂସଦରେ ଅଚଳାବସ୍ଥା: ୧୩୩ କୋଟି ବରବାଦ ହେଲାଣି
ରାଜ୍ୟସଭା: ୫୦ ଘଣ୍ଟାରୁ ୪୦ ଘଣ୍ଟା ନଷ୍ଟ, ଲୋକସଭା: ମାତ୍ର ୭ ଘଣ୍ଟା କାମ ହୋଇଛି
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତମାସ ୧୯ ତାରିଖରୁ ଆରମ୍ଭ ହୋଇଛି। ଇତିମଧ୍ୟରେ ଦୁଇ ସପ୍ତାହ ବିତିଗଲାଣି। କିନ୍ତୁ ସଂସଦର କୌଣସି ଗୃହ ସ୍ବାଭାବିକ ହୋଇପାରୁନାହିଁ। ବିରୋଧୀ ଦଳଗୁଡ଼ିକ ପେଗାସସ୍ ଗୁଇନ୍ଦାଗିରି ଓ କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ଗୃହକୁ ଅଚଳ କରି ରଖିଥିବାରୁ ୧୩୩ କୋଟିରୁ ଅଧିକ ଟଙ୍କା ବରବାଦ ହୋଇସାରିଲାଣି। ଦେଶର ଟିକସ ଦାତାଙ୍କ ଅର୍ଥକୁ ଏଭଳି ବରବାଦ କରାଯିବା ନେଇ ଉଦ୍ବେଗ ପ୍ରକାଶ ପାଇଛି। ଲୋକସଭାରେ ସମ୍ଭାବ୍ୟ ୫୪ ଘଣ୍ଟାରୁ କେବଳ ୭ ଘଣ୍ଟା କାମ ହୋଇଛି। ରାଜ୍ୟସଭାରେ ଗତ ଦୁଇ ସପ୍ତାହ ମଧ୍ୟରେ ୫୦ ଘଣ୍ଟାର କାର୍ଯ୍ୟ ଅବଧି ମଧ୍ୟରୁ ପ୍ରାୟ ୪୦ ଘଣ୍ଟା (୩୯ ଘଣ୍ଟା ୫୨ ମିନିଟ୍) ବରବାଦ୍ ହୋଇଛି। ଚଳିତ ଅଧିବେଶନର ପ୍ରଥମ ସପ୍ତାହରେ ରାଜ୍ୟସଭାର ଉତ୍ପାଦକତା ୩୨.୨୦ ପ୍ରତିଶତ ରହିଥିଲାବେଳେ ଦ୍ବିତୀୟ ସପ୍ତାହରେ ଏହା ୧୩.୭୦ ପ୍ରତିଶତକୁ ହ୍ରାସ ପାଇଛି। ତେଣୁ ମୋଟ ଉପରେ ଦୁଇ ସପ୍ତାହର ଉତ୍ପାଦକତା ୨୧.୬୦ ପ୍ରତିଶତ ରହିଛି ବୋଲି ରାଜ୍ୟସଭା ସଚିବାଳୟ ପକ୍ଷରୁ ରେକର୍ଡ କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ରାଜ୍ୟସଭାର ୯ଟି କାର୍ଯ୍ୟଦିବସ ରହିଥିଲା। ସେହି ୯ ଦିନରେ ମାତ୍ର ୧ ଘଣ୍ଟା ୩୮ ମିନିଟ୍ର ପ୍ରଶ୍ନୋତ୍ତର କାର୍ଯ୍ୟ ହୋଇଛି। ସେହିଭଳି ବିଧେୟକ ସଂପର୍କରେ ୧ ଘଣ୍ଟା ୨୪ ମିନିଟ ଦିଆଯାଇଛି। ଏଥିରେ ୪ଟି ବିଲ୍ ଗୃହୀତ ହୋଇଛି। ୧ ମିନିଟ ପାଇଁ ଶୂନ୍ୟ କାଳ ଚାଲିପାରିଛି। ଏଥିସହିତ ପ୍ରଥମ ସପ୍ତାହରେ କୋଭିଡ-୧୯ ଓ ପେଗାସସ ଗୁଇନ୍ଦାଗିରି ଉପରେ ଆଇଟି ମନ୍ତ୍ରୀଙ୍କ ଉତ୍ତର ପ୍ରଦାନ ବାବଦରେ ୪ ଘଣ୍ଟା ୩୭ ମିନିଟ ଉପଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭେଙ୍କୟାଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ
ନୂଆଦିଲ୍ଲୀ: ସଂସଦର ଦୁଇ ସଦନ ଚଳିତ ମୌସୁମୀ ଅଧିବେଶନ ଆରମ୍ଭରୁ ଏପର୍ଯ୍ୟନ୍ତ ଚାଲିପାରୁନାହିଁ। ତେବେ ଆସନ୍ତା ସପ୍ତାହରେ ସଂସଦରେ ଆହୁରି ବଡ଼ ଝଡ଼ ସୃଷ୍ଟି ହେବା ଆଶଙ୍କା ରହିଛି। ସୂଚନା ଅନୁଯାୟୀ, ବିରୋଧୀ ଦଳଗୁଡ଼ିକ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିପାରନ୍ତି। ଟିଏମ୍ସି ପକ୍ଷରୁ ଉକ୍ତ ପ୍ରସ୍ତାବ ଆଗତ ହେବ ଏବଂ ଏହାକୁ ଡିଏମକେ ଓ କଂଗ୍ରେସ ଆଦି ବିରୋଧୀ ଦଳ ସମର୍ଥନ କରିବେ ବୋଲି କୁହାଯାଉଛି। ଅଧିବେଶନ ଆରମ୍ଭରୁ ପେଗାସସ୍, କରୋନା ଟିକାକରଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରଙ୍କ ବିବୃତି ଦାବି କରି ପ୍ରତିଦିନ ବିରୋଧୀ ନୋଟିସ ଦେଉଛନ୍ତି। କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ବିରୋଧୀ ଦଳଗୁଡ଼ିକ କହୁଛନ୍ତି। ତୃଣମୂଳ ସାଂସଦ ଡେରେକ୍ ଓ’ବ୍ରେନ୍ କହିଛନ୍ତି ସରକାର ସଂସଦକୁ ଚାଲିବା ପାଇଁ ଅନୁମତି ଦେଉନାହାନ୍ତି। ବିରୋଧୀ ଦଳକୁ ସରକାର କେତେଥର ଡାକୁଛନ୍ତି ତାହା ପ୍ରସଙ୍ଗ ନୁହେଁ ବରଂ ଆଲୋଚନାର ବିଷୟବସ୍ତୁ କ’ଣ ତାହା ହିଁ ଗୁରୁତ୍ବ ରଖୁଛି ବୋଲି ଡେରେକ୍ କହିଛନ୍ତି। ସଂସଦ ଚାଲି ପାରୁ ନଥିବାରୁ ଉଭୟ ସରକାର ଏବଂ ବିରୋଧୀ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଯଦି ଭେଙ୍କୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସେ ତା’ହେଲେ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ରହିଛି।