ମୋଦୀଙ୍କ ଟୋପି ଓ ଉତ୍ତରୀୟକୁ ନେଇ ଚର୍ଚ୍ଚା କାହିଁକି ?

ନୂଆଦିଲ୍ଲୀ : ଆଜି ଗଣତନ୍ତ୍ର ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିନ୍ଧିଥିବା ଟୋପି ଓ ଉତ୍ତରୀୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦୀ ଉତ୍ତରାଖଣ୍ଡର ପାରମ୍ପରିକ ଟୋପି ପିନ୍ଧିଥିବାବେଳେ ମଣିପୁରର ପାରମ୍ପରିକ ଲେରିଅମ ଫି (ଉତ୍ତରୀୟ) ପିନ୍ଧିଥିଲେ ।

ବିଗତ ବର୍ଷଗୁଡ଼ିକର ଗଣତନ୍ତ୍ର ଦିବସ କିମ୍ବା ସ୍ବାଧୀନତା ଦିବସ ସମାରୋହରେ ମୋଦୀ ସାଧାରଣତଃ ପଗଡ଼ି ପିନ୍ଧିଥାନ୍ତି । କିନ୍ତୁ ଏଥର ସେ ଟୋପି ପିନ୍ଧିଥିବାରୁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେତେକ ସମାଲୋଚକ ଏହାକୁ ଆଗାମୀ ବିଧାନସଭା ନିର୍ବାଚନ ସହ ଯୋଡ଼ୁଛନ୍ତି । ଆଗକୁ ଉତ୍ତରାଖଣ୍ଡ ଓ ମଣିପୁରରେ ନିର୍ବାଚନ ଅଛି । ଏଣୁ ଏହି ଦୁଇ ରାଜ୍ୟର ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ମୋଦୀ ଏପରି କରିଥାଇପାରନ୍ତି ।

ମୋଦୀ ଉତ୍ତରାଖଣ୍ଡର ପାରମ୍ପରିକ ଟୋପି ପିନ୍ଧିଥିବାରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧମି ସ୍ବାଗତ କରିଛନ୍ତି । ଏହା ରାଜ୍ୟ ପାଇଁ ଏକ ଗୌରବର ବିଷୟ ବୋଲି ସେ ଟୁଇଟ କରି ଲେଖିଛନ୍ତି । ସେହିପରି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ସିଂ ମଧ୍ୟ ଟୁଇଟ କରି ମୋଦିଙ୍କ ଉତ୍ତରୀୟକୁ ମଣିପୁରବାସୀଙ୍କ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ।

ଗତ ବର୍ଷ ଗଣତନ୍ତ୍ର ଦିବସରେ ମୋଦୀ ଗୁଜୁରାଟର ଜାମନଗରର ଏକ ପଗଡ଼ି ପିନ୍ଧିଥିଲେ । ସେହିପରି ସ୍ବାଧୀନତା ଦିବସରେ ଏକ ଗେରୁଆ ପଗଡ଼ି ପିନ୍ଧିଥିଲେ ।

ସମ୍ବନ୍ଧିତ ଖବର