ପଂଜାବ ଓ ଛତିଶଗଡ଼ରେ କଂଗ୍ରେସ କନ୍ଦଳ ତେଜିଲା: ୪ ମନ୍ତ୍ରୀଙ୍କ ସମେତ ୩୨ ବିଧାୟକ ଅମରିନ୍ଦରଙ୍କ ଇସ୍ତଫା ଦାବିକଲେ

ସମାଧାନ ପାଇଁ ରାହୁଲଙ୍କ ବୈଠକ

ଅମୃତସର: ପଂଜାବ କଂଗ୍ରେସ କନ୍ଦଳ ପୁଣି ଘନେଇଛି। କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀର ୩୨ ବିଧାୟକ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଇସ୍ତଫା ଦାବି କରିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି। ବିଧାୟକମାନେ ଅମରିନ୍ଦରଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି ଏବଂ ଚଣ୍ଡିଗଡ଼ରେ ଆଜି ଏକ ବୈଠକ କରିଛନ୍ତି। ୫ ଜଣିଆ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ସୋନିଆ ଗାନ୍ଧିଙ୍କୁ ଭେଟି ଅମରିନ୍ଦରଙ୍କ ଇସ୍ତଫା ଦାବି କରିବେ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନେଇଛନ୍ତି। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କୌଣସି ବୟାନ ଏହି ନେତାମାନେ ଦେଇନାହାନ୍ତି। ସିଦ୍ଧୁଙ୍କ ଗୋଷ୍ଠୀର ଉକ୍ତ କ୍ୟାବିନେଟ ମନ୍ତ୍ରୀମାନେ କହିଛନ୍ତି, ଅମରିନ୍ଦରଙ୍କ ଅଧୀନରେ ଦଳ ୨୦୧୭ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ ହେବାଭଳି ଲାଗୁନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ନ ବଦଳିଲେ ଦଳର ସ୍ଥିତି ଖରାପ ହେବ ବୋଲି ସେମାନେ କହିଛନ୍ତି। ପଂଜାବ ପଞ୍ଚାୟତ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ରଜିନ୍ଦର ସିଂହ ବଜ୍‌ୱାଙ୍କ ସରକାରୀ ବାସଭବନରେ ଆଜି ସିଦ୍ଧୁ ଗୋଷ୍ଠୀର ବୈଠକ ହୋଇଥିଲା। ବୈଠକରେ ମନ୍ତ୍ରୀ ସୁଖଜିନ୍ଦର ସିଂହ ରଣ୍ଢାୱା, ଚରଣଜିତ ସିଂହ ଚାନ୍ନି, ସୁଖବିନ୍ଦର ସିଂହ ସରକାରିଆ ଏବଂ ପଂଜାବର କଂଗ୍ରେସ ସାଧାରଣ ସମ୍ପାଦକ ତଥା ବିଧାୟକ ପର୍ଗତ ସିଂହ ଉପସ୍ଥିତ ଥିଲେ।

ସମାଧାନ ପାଇଁ ରାହୁଲଙ୍କ ବୈଠକ

ରାୟପୁର: ଛତିଶଗଡ଼ରେ ଏବେ କଂଗ୍ରେସ କନ୍ଦଳ ଘନେଇଛି। ମୁଖ୍ୟମନ୍ତ୍ରୀ ଭୂ‌ପେଶ ବାଘେଲ ଏବଂ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଟିଏସ୍‌ ସିଂହ ଦେଓଙ୍କ ମଧ୍ୟରେ ଜାରି ରହିଥିବା କ୍ଷମତା କନ୍ଦଳର ସମାଧାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଉଭୟ ନେତାଙ୍କ ସହ ବୈଠକ କରିଛନ୍ତି। ରାଜ୍ୟର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ହୋଇଥିବା ମତଭେଦର ସମାଧାନ ପାଇଁ ରାହୁଲ ଉଭୟଙ୍କୁ ନିଜ ବାସଭବନରେ ଭେଟିଥିଲେ। ଏହି ବୈଠକରେ ଏଆଇସିସି ସାଧାରଣ ସଚିବ ପିଏଲ୍ ପୁନିଆ ଏବଂ କେ ସି ବେଣୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ। ମିଳିଥିବା ସୂଚନାନୁଯାୟୀ ୨ ବରିଷ୍ଠ ନେତା ପୃଥକ୍‌ ଭାବେ ରାହୁଲଙ୍କୁ ଭେଟିଥିଲେ। ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା। ସିଂହ ଦେଓ ଏବଂ ବାଘେଲଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ବିଧାୟକ ମହଲରେ ମଧ୍ୟ ଫାଟ ବଢ଼ୁଛି। ସିଂହଦେଓ କହିଛନ୍ତି, ୨୦୧୮ରେ ନିର୍ବାଚନ ବିଜୟ ସମୟରେ ଏହା ପ୍ରସ୍ତାବ ରହିଥିଲା ଯେ, ଅଢ଼େଇ ବର୍ଷରେ ମୁଖ୍ୟମନ୍ତ୍ରୀ ବଦଳିବେ। କିନ୍ତୁ ଏହା କାର୍ଯ୍ୟକାରୀ ହୋଇନାହିଁ। ଏହି ପ୍ରସଙ୍ଗକୁ ନେଇ ସିଂହଦେଓ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି ପ୍ରସଙ୍ଗରେ ଦୁହେଁ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଭେଟିଥିବାବେଳେ ବାଘେଲ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି। ତେବେ ଖାଲି ଛତିଶଗଡ଼ ନୁହେଁ, ପଂଜାବ ଏବଂ ରାଜସ୍ଥାନରେ ମଧ୍ୟ କଂଗ୍ରେସ କନ୍ଦଳ ଲାଗି ରହିଛି।

ସମ୍ବନ୍ଧିତ ଖବର