ଅମୃତସର: ଭାରତରେ ବିବାହ ପାଇଁ କନ୍ୟା ପକ୍ଷ ବର ପକ୍ଷକୁ ଯୌତୁକ ଦେବା ପ୍ରଥା ସର୍ବତ୍ର ଦେଖିବାକୁ ମିଳୁଥିବା ବେଳେ ପଂଜାବରେ ଏବେ ଯୌତୁକର ଓଲଟା ଧାରା ଦେଖିବାକୁ ମିଳିଛି। ବିଦେଶରେ ଥଇଥାନ ହେବା ଲକ୍ଷ୍ୟ ରଖି ଅନେକ ବିବାହ ସଂପନ୍ନ ହେଉଥିବାରୁ ଏବେ ବରମାନେ ଯୌତୁକ ନେବା ବଦଳରେ କନ୍ୟା ପକ୍ଷକୁ ଯୌତୁକ ବାବଦରେ ବିପୁଳ ଅର୍ଥ ପୈଠ କରୁଥିବା ସଂକ୍ରାନ୍ତ ଅନେକ ନଜିର ସାମ୍ନାକୁ ଆସିଛି। ଏଭଳି ଧାରାର ବ୍ୟାପକତା ଭିତରେ ଏବେ ଚୁକ୍ତି ଭିତ୍ତିକ ବିବାହ ସାଧାରଣ ଘଟଣା ପାଲଟିଯାଇଛି। ଏକ ଯୋଜନାବଦ୍ଧ ବେପାର ବ୍ୟବସ୍ଥାରେ ବର ପକ୍ଷ କନ୍ୟାର ଶିକ୍ଷା ଏବଂ ଭିସା ବାବଦ ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି ଏବଂ ପ୍ରତିବଦଳରେ ବର କନ୍ୟା ମାଧ୍ୟମରେ ବିଦେଶରେ ଥଇଥାନ ହେବାର ପ୍ରତିଶ୍ରୁତି ପାଇଥାନ୍ତି। ତେବେ ଅନେକ କ୍ଷେତ୍ରରେ କନ୍ୟା ପକ୍ଷ ଏଥିରେ ସହଯୋଗ ନ କରିବା ଏବଂ ଯୌତୁକ ଅର୍ଥ ନେବାପରେ କନ୍ୟା ଫେରାର ହୋଇଯିବା କିମ୍ବା ବରକୁ ପ୍ରତ୍ୟାଖ୍ୟାନ କରିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଗତ ଜୁନ୍‌ରେ ଏଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।

Advertisment

ବର୍ଣ୍ଣାଲାର ୨୩ ବର୍ଷୀୟ ଯୁବକ ଲଭପ୍ରୀତ୍‌ ସିଂହଙ୍କ ରହସ୍ୟଜନକ ଅବସ୍ଥାରେ ମୃତୁ ହୋଇଥିଲା। ପରେ ଜଣାପଡ଼ିଥିଲା ଯେ ଲଭପ୍ରୀତ୍‌ଙ୍କ ପରିବାର ତାଙ୍କର ବିବାହ ପାଇଁ ଧାର ଉଧାର କରି କନ୍ୟା ପକ୍ଷକୁ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ ଏବଂ କନ୍ୟା କାନାଡ଼ାକୁ ଅଧ୍ୟୟନ ପାଇ ଯାଇଥିଲେ। ତେବେ ଲଭପ୍ରୀତ୍‌ଙ୍କ ପତ୍ନୀ ବିୟନ୍ତ କୌର (୨୧) ଏହି ଚୁକ୍ତି ଭିତ୍ତିକ ବିବାହକୁ ପ୍ରତ୍ୟାଖ୍ୟାନ କରିବାରୁ ସମସ୍ୟା ଜଟିଳ ହୋଇପଡ଼ିଥିଲା ଏବଂ ଲଭପ୍ରୀତ୍‌ ନିଜକୁ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲା। ଚୁକ୍ତି ଭିତ୍ତିକ ବିବାହକୁ ନେଇ ପ୍ରତିଦିନ ଅନର୍ଥକାରୀ ମାମଲା ସାମ୍ନାକୁ ଆସୁଛି ଏବଂ ବିଗତ ୨ ବର୍ଷ ମଧ୍ୟରେ ପ୍ରାୟ ୫ ହଜାରରୁ ଅଧିକ ମାମଲା ପଂଜାବ ପୁଲିସର ଏନ୍‌ଆର୍‌ଆଇ ଶାଖା ମାଧ୍ୟମରେ ରୁଜୁ ହୋଇଥିବା ଜଣାପଡ଼ିଛି।

ବୈବାହିକ ବିଜ୍ଞାପନଗୁଡ଼ିକରୁ ଏଭଳି ଚୁକ୍ତିଭିତ୍ତିକ ବିବାହ କିଭଳି କାୟାବିସ୍ତାର କରିଛି ତାହାର ଉଦାହରଣ ପ୍ରତିଦିନ ଦେଖିବାକୁ ମିଳୁଛି। ବିଦେଶରେ ଥଇଥାନ ହେବା ଲକ୍ଷ୍ୟରେ ବିବାହ ଯୋଜନା କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ବିଶେଷ କରି ବ୍ରିଟେନ୍‌, କାନାଡ଼ା, ଆମେରିକା, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ସ୍ଥାୟୀ ଭାବେ ରହିବାକୁ ଯୋଜନା କରୁଥିବା ଯୁବକମାନେ ଯେନତେନ ପ୍ରକାରେ ଏଭଳି ବିବାହ କରୁଛନ୍ତି ଏବଂ ଏଥିପାଇଁ କନ୍ୟାପକ୍ଷଙ୍କୁ ସେମାନଙ୍କ ଦାବି ମୁତାବକ ଯୌତୁକ ଦେଉଛନ୍ତି।