ଚଣ୍ଡୀଗ: ପଂଜାବରେ ଏବେ ଖଲିସ୍ତାନ ସମର୍ଥକଙ୍କ ସଂଖ୍ୟା ବଢ଼ିବା ଏବଂ ଖଲିସ୍ତାନ ସମର୍ଥକ ଗୋଷ୍ଠୀ ଓ ନେତାଙ୍କ ପ୍ରାଧାନ୍ୟ ବଢ଼ୁଥିବାରୁ ଏହାକୁ ନେଇ ବିଭିନ୍ନ ମହଲ ଚିନ୍ତା ପ୍ରକଟ କରିଛନ୍ତି। ଗତ ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନଙ୍କୁ ପଚରାଯାଇଥିଲା- ଆପଣ ଝାଡ଼ୁ ଧରିବେ ନା କୃପାଣ? ଏହା ଉପରେ ଦକ୍ଷିଣପନ୍ଥୀ ନେତାମାନଙ୍କ ପକ୍ଷରୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ଆପ୍କୁ ବିପୁଳ ସମର୍ଥନ ମିଳିଲା ଏବଂ ଆପ୍ ସରକାର ଗଢ଼ିଲା। ଏହାର ପ୍ରାୟ ୧୦୦ ଦିନ ପରେ ସଂଗରୁର ଲୋକସଭା ଆସନରୁ ହୋଇଥିବା ଉପନର୍ବିାଚନରେ ଶିରୋମଣି ଅକାଳୀ ଦଳ (ଅମୃତସର) ନେତା ସିମ୍ରନଜିତ ସିଂହ ମାନଙ୍କ ନାଟକୀୟ ବିଜୟ ପରେ ‘ଝାଡ଼ୁ ବନାମ ତଲୱାର’ ବିତର୍କ ପୁଣି ଫେରିଛି। ଏହି ୭୭-ବର୍ଷୀୟ ପୂର୍ବତନ ଆଇପିଏସ୍ ଅଫିସର ଅତୀତରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ଓ ସ୍ବତନ୍ତ୍ର ଖଲିସ୍ଥାନ ଗଠନ ଦାବିକୁ ସମର୍ଥନ କରିଛନ୍ତି।
ବିବାଦୀୟ ଅଭିନେତାରୁ ଆକ୍ଟିଭିଷ୍ଟ ହୋଇଥିବା ତଥା ଗତବର୍ଷ କୃଷକ ଆନ୍ଦୋଳନ ସମୟରେ ସାଧାରଣତନ୍ତ୍ର ଦିବସରେ ଲାଲ କିଲ୍ଲାରେ ନିଶାନ ସାହିବ ପତାକା ଉଡ଼ାଇବା ଓ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟଣା ସିମ୍ରନଜିତ ସିଂହ ମାନଙ୍କ ଭାଗ୍ୟୋଦୟରେ ସହାୟକ ହୋଇଥିବା ଅନୁମାନ କରାଯାଉଛି। ମୁସେୱାଲାଙ୍କ ନିଧନ ମଧ୍ୟ ସମ୍ଭବତଃ ମାନଙ୍କ ବିଜୟରେ ସାହାଯ୍ୟ କଲା ଯିଏ ଏହା ପୂର୍ବରୁ ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ନିର୍ବାଚନରେ ହାରିଥିଲେ। ଶିରୋମଣି ଅକାଳୀ ନେତା ସୁଖବୀର ବାଦଲ ଆପ୍ର ମୁକାବିଲା ପାଇଁ ଏକ ମିଳିତ ପ୍ରାର୍ଥୀ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁସେୱାଲାଙ୍କ ହତ୍ୟା ଆପ୍ ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳି ପାରୁନାହିଁ ବୋଲି ବାର୍ତ୍ତା ଦେଲା। ଏଣୁ ଉପନିର୍ବାଚନରେ ମାନଙ୍କୁ ଜିତିବାକୁ ସୁବିଧା ହେଲା। ତେବେ ଏହାପରେ ଚରମପନ୍ଥୀ ରାଜନୀତି ଆହୁରି ତେଜିବାରେ ଲାଗିଥିବାରୁ ଆଗକୁ ରାଜ୍ୟପାଇଁ ଏହା ବଡ଼ ସଙ୍କଟ ଆଣିବା ଆଶଙ୍କା କରାଯାଉଛି।