ହାଇଦ୍ରାବାଦ୍ : ଆନ୍ଧ୍ରପ୍ରଦେଶରୁ ଏବେ ଅଧିକାଂଶ ଲୋକ ଉତ୍ତମ ଜୀବନଶୈଳୀ ଆଶାରେ ଉପସାଗରୀୟ ରାଷ୍ଟ୍ର ଗୁଡ଼ିକୁ ସ୍ଥାନାନ୍ତର ହେଉଛନ୍ତି। କିନ୍ତୁ ଜଣାଯାଇଛି ଯେ ଉତ୍ତମ ଜୀବନଶୈଳୀ ଆଶା ସେମାନଙ୍କ ପାଇଁ କାଳ ହେଉଛି। ଅତ୍ୟଧିକ କାର୍ଯ୍ୟଚାପ ଏବଂ ଅସ୍ବାସ୍ଥ୍ୟକର ପରିବେଶ ପାଇଁ ଅଧିକାଂଶ ଲୋକ ଉପସାଗରୀୟ ରାଷ୍ଟ୍ରରେ ପ୍ରାଣ ହରାଉଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ଯେ ପ୍ରତି ୨ ଦିନରେ ଆନ୍ଧ୍ରପ୍ରଦେଶର ୩ ଜଣ ଲୋକ ଉପସାଗରୀୟ ରାଷ୍ଟ୍ରରେ ପ୍ରାଣ ହରାଉଛନ୍ତି। ଗତ ୩ ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ ୧୬୫୬ ଜଣ ଶ୍ରମିକ ଉପସାଗରୀୟ ରାଷ୍ଟ୍ରରେ ମୃତ୍ୟୁ ବରଣ କରିଛନ୍ତି। ସେମାନେ ସାଧାରଣତଃ ଘରୋଇ ସହାୟକ ତଥା ସଫେଇ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି।
ଆନ୍ଧପ୍ରଦେଶର କଡ଼ପା, ଚିତୋର ଏବଂ ଗୋଦାବରୀ ଜିଲ୍ଲାରୁ ଅଧିକାଂଶ ଲୋକ ଭଲ ଟଙ୍କା ରୋଜଗାର କରିବା ଆଶାରେ ଉପସାଗରୀୟ ରାଷ୍ଟ୍ରକୁ ସ୍ଥାନାନ୍ତର ହେଉଛନ୍ତି। କୁଏତ୍ରେ ଗତ ୩ ବର୍ଷ ମଧ୍ୟରେ ୪୮୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସାଉଦି ଆରବରେ ୪୭୮, ୟୁଏଇରେ ୩୫୧, ଓମାନ୍ରେ ୧୫୩, କତାରରେ ୧୦୮, ବାହରିନ୍ରେ ୭୮ ଜଣ ପ୍ରାଣ ହରାଇଛନ୍ତି। ଆଜି କନିଷ୍ଠ ବିଦେଶ ମନ୍ତ୍ରୀ ଭି ମୁରଲିଧରନ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ କୁଏତ୍, ସାଉଦି ଆରବ ଏବଂ ୟୁଏଇରେ ପ୍ରାଣ ହରାଉଥିବା ଜଣାପଡ଼ିଛି। । ଅତ୍ୟଧିକ କାର୍ଯ୍ୟଚାପରୁ ଅନେକ ଆତ୍ମହତ୍ୟା କରିଦେଉଛନ୍ତି ନହେଲେ କେହିକେହି ସଡ଼କ ଦୁର୍ଘଟଣାରେ ମଧ୍ୟ ପ୍ରାଣ ହରାଉଛନ୍ତି। ସେହିପରି ମେଡିକାଲ୍ ସୁବିଧାସୁଯୋଗ ନମିଳିବା ଏବଂ ଅଂଶୁଘାତରେ ମଧ୍ୟ ଅଧିକ ଜୀବନ ଯାଉଛି। ଉପସାଗରୀୟ ପ୍ରବାସୀ ଅଧିକାର ସାମାଜିକ କର୍ମୀ ପି ବସନ୍ତ ରେଡ୍ଡିଙ୍କ କହିବା ଅନୁଯାୟୀ ଉପସାଗରୀୟ ଦେଶକୁ କାମ ପାଇଁ ଯାଉଥିବା ଗୋଦାବରୀ ଜିଲ୍ଲାର ଅଧିକାଂଶ ମହିଳା ଘରୋଇ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଅତ୍ୟାଚାରର ଶିକାର ହୋଇ ପ୍ରାଣ ହରାଉଛନ୍ତି। ଅତ୍ୟଧିକ ଗରମ ଏବଂ କାର୍ଯ୍ୟଚାପ ପାଇଁ ନିଦ୍ରାହୀନତା ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଉଛି, ଫଳରେ ଉତ୍ତମ ଚିକିତ୍ସା ନପାଇ କେତେକ ପ୍ରାଣ ହରାଇ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Untitled-22-4.jpg)