ନୂଆଦିଲ୍ଲୀ: ବିଗତ କିଛି ସପ୍ତାହ ହେଲା ରାଜସ୍ଥାନର ସମସ୍ତ ବିଜେପି ନେତା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଗାଦିଚ୍ୟୁତ କରିବା ଲାଗି ପ୍ରତ୍ୟକ୍ଷରେ ବା ପରୋକ୍ଷରେ ଉଦ୍ୟମ ଜାରି ରଖିଛନ୍ତି। ବିଜେପିର ରାଜ୍ୟ ସଭାପତି ସତୀଶ ପୁନିଆ ହୁଅନ୍ତୁ ବା ବରିଷ୍ଠ ନେତା ଗୁଲାବ ଚନ୍ଦ୍ର କଟାରିଆ ହୁଅନ୍ତୁ ସମସ୍ତଙ୍କର ଲକ୍ଷ୍ୟ ଏବେ ‘ଗେହଲଟ୍ ହଟାଅ’ରେ ନିବଦ୍ଧ ରହିଛି। ମାତ୍ର ରାଜ୍ୟର ଅନ୍ୟତମ ଯୁବନେତା ତଥା ଏକଦା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିବିଡ଼ ଥିବା ସାଂସଦ ରାଜ୍ୟବର୍ଦ୍ଧନ ରାଠୋର ଏବେ ତଥାକଥିତ ଦଳୀୟ ଅଭିଯାନରେ ସାମିଲ ନଥିବା ଦେଖିବାକୁ ମିଳିଛି। ଜୟପୁର(ଗ୍ରାମାଞ୍ଚଳ) ଲୋକସେବା ଆସନକୁ ପ୍ରତିନିଧିତ୍ବ କରୁଥିବା ରାଠୋର ୨୦୧୯ ମେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ନହେବା ପରଠାରୁ ଏକ ରକମ ରାଜନୈତିକ କୋଣଠେସା ଭୋଗୁଥିବା ଚର୍ଚ୍ଚା ହେଉଛି। ଏବେ ନା ସେ ରାଜସ୍ଥାନରେ ଦଳୀୟ ବ୍ୟାପାର ସମ୍ଭାଳୁଛନ୍ତି ନା ସମର୍ଥକ ବିଧାୟକମାନଙ୍କୁ ଧରି ରାଜପୁତନା ରାଜ୍ୟ ପାଇଁ ରାଜବଂଶୀୟ ବିଦ୍ରୋହ ରଚାଇ ପାରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଅଲମ୍ପିକ୍ ରୋପ୍ୟପଦକ ବିଜେତା ରାଠୋର କର୍ମୀମାନଙ୍କ ଗହଣରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଉତ୍ତରାଧିକାରୀ ଭାବେ ବିବେଚିତ ହେଉଥିଲେ। ମାତ୍ର ଏବେ ତାଙ୍କ ଭୂମିକା କେବଳ ଦିଲ୍ଲୀ ଓ ଜୟପୁର ଗସ୍ତ ଭିତରେ ସୀମିତ ରହିଛି। କେନ୍ଦ୍ର ମନ୍ତ୍ରୀ ହିସାବରେ ପ୍ରଶଂସନୀୟ କୃତିତ୍ବ ସାଙ୍ଗକୁ ନିଜର ସକ୍ରିୟତା ଏବଂ ରାଜସ୍ଥାନୀ ଓ ଇଂରାଜୀରେ ତାଙ୍କର ପ୍ରଗଳ୍ଭତା ସତ୍ତ୍ବେ ତାଙ୍କୁ ମଧ୍ୟ ଦଳର କୌଣସି କେନ୍ଦ୍ରୀୟ କମିଟିରେ ରଖାଯାଇନାହିଁ। ଏପରିକି ରାଜ୍ୟରେ ଦଳର ସାଂଗଠନିକ ପ୍ରସଙ୍ଗରେ ମଧ୍ୟ ସେ କୌଣସି କୋର୍ ଗ୍ରୁପ୍ରେ ମଧ୍ୟ ନାହାନ୍ତି। ଗତବର୍ଷ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିବା ପରଠାରୁ ହିଁ ସେ କେବଳ ନିଜ ନିର୍ବାଚନୀମଣ୍ଡଳୀ କଥା ବୁଝିବାରେ ନିଜକୁ ସୀମିତ ରଖିଛନ୍ତି। ଅବଶ୍ୟ ଅନେକ ନେତା ବିଭିନ୍ନ କାରଣରୁ ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଶୁଭଦୃଷ୍ଟିରେ ନଥିବା କାରଣରୁ ରାଠୋରଙ୍କୁ ଏଭଳି ନିର୍ବାସନତୁଲ୍ୟ ସମୟ ବିତାଇବାକୁ ପଡୁଛି ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/rathor-rajastan.jpg)