ଗ୍ରାମାଞ୍ଚଳରେ କୋଭିଡ୍‌ ନିଶ୍ଚିହ୍ନ କରିଦେଉଛି ସମଗ୍ର ପରିବାର

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ଜନବହୁଳ ରାଷ୍ଟ୍ର ଭାରତର ବଡ଼ ବଡ଼ ସହରରେ ଆତଙ୍କର କାରଣ ପାଲଟିଥିବା ମହାମାରୀ କୋଭିଡ୍‌-୧୯ ଏବେ ଗ୍ରାମା଼ଞ୍ଚଳରେ ଅନୁରୂପ ପ୍ରାଦୁର୍ଭାବ ଜାରି ରଖିଛି। ଅଧିକାଂଶ ଗାଁରେ ଏହାର ମୁକାବିଲା ପାଇଁ ସମ୍ବଳ କି ସୁଯୋଗ ନଥିଲା ବେଳେ କୋଭିଡ୍‌ ଅନେକ ପରିବାରକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିଦେବା ଖବର ଆଲୋଡ଼ନ ଆଣିଦେଇଛି। ରାଜଧାନୀ ଦିଲ୍ଲୀ ଠାରୁ ଦେଢ଼ ଘଣ୍ଟାର ବାଟ ବାସି ଗାଁର ମୋଟ ୫,୪୦୦ ଲୋକସଂଖ୍ୟାର ପ୍ରାୟ ତିନି ତୃତୀୟାଂଶ ଏବେ କୋଭିଡ୍‌ରେ ଆକ୍ରାନ୍ତ ଥିବା ବେଳେ ଗତ ୩ ସପ୍ତାହ ଭିତରେ ଗାଁର ୩୦ ଜଣଙ୍କର ଜୀବନ ଗଲାଣି। ସେଠାରେ ସାମାନ୍ୟତମ ସ୍ବାସ୍ଥ୍ୟସେବା ସୁବିଧା ନାହିଁ କି ଡାକ୍ତର କି ଅମ୍ଳଜାନ ସିଲିଣ୍ଡର ଉପଲବ୍‌ଧ ନାହିଁ। ଅପରପକ୍ଷେ, ଦେଶର ଅନ୍ୟାନ୍ୟ ସହର କି ଉନ୍ନତ ଗାଁରେ ଯେପରି ସେବା କରିବା ପାଇଁ ଅପେକ୍ଷା କରିଥିବା କିଛି ଅପରିଚିତ ସ୍ବେଚ୍ଛାସେବୀଙ୍କ ପାଖରେ ସାମାଜିକ ଗଣମାଧ୍ୟମ ଜରିଆରେ ନିଜର ଦୟନୀୟତା ସମ୍ପର୍କରେ ଅବଗତ କରାଇବାର ସମ୍ଭାବନା ମଧ୍ୟ ବାସି ଗ୍ରାମବାସୀଙ୍କର ନାହିଁ। ଗ୍ରାମର ଅଧିକାଂଶ ମୃତକ ଅମ୍ଳଜାନ ଅଭାବରୁ ହିଁ ଆରପାରିକୁ ଯାଇଛନ୍ତି। ଏହା କେବଳ ବାସି ଗାଁର କଥା ନୁହେଁ, ଦେଶର ବିଭିନ୍ନ ଇଲାକାରେ ଅନୁରୂପ ସ୍ଥିତି ଜାରି ରହିଥିବା ଜଣାଯାଇଛି।

ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ସ୍ଥିତି ସାଂଘାତିକ ହେଲାଣି। କେଉଁଠି ସାରା ପରିବାର ଜନଶୂନ୍ୟ ହୋଇଯାଇଛି ତ କେଉଁଠି ଗଙ୍ଗା ଜଳସ୍ରୋତରେ ସହ ଶହ ଫୁଲିଲା ଶବ ଭାସୁଛନ୍ତି ତ କେଉଁଠି କର୍ମଜୀବୀଙ୍କ ଅଭାବରେ ଚାଷକ୍ଷେତ ଉପେକ୍ଷିତ ହୋଇ ପଡ଼ିରହିଛି। କୋଭିଡ୍‌ ତାଣ୍ଡବର ଏ ବିକଳ ଚିତ୍ର ସରକାରୀ ନଥିର ଅପହଞ୍ଚ ହୋଇ ରହିଛି। କାରଣ ଲୋକଲୋଚନକୁ ଘୋଷଣା କରାଯାଉଥିବା ମୃତ୍ୟୁସଂଖ୍ୟା ବାସ୍ତବ ଠାରୁ ଯଥେଷ୍ଟ ପଛରେ ରହିଛି। ଗାଁରେ କାହାକୁ ଜ୍ବର ହେଲେ କି ଦେହ ପୀଡ଼ା ହେଲେ ଲୋକେ ଭୟରେ ଘର ଛାଡ଼ି ଯିବାକୁ ଅମଙ୍ଗ। ସଚେତନତା ଅଭାବରୁ କେଉଁଠି ସାରା ପରିବାରକୁ କୋଭିଡ୍‌ ଗିଳି ଚାଲିଛି। ଅପରପକ୍ଷେ, ଅତିଶୟ ଆକ୍ରାନ୍ତ ହୋଇ କେହି ଆଖି ବୁଜିଲେ ତାଙ୍କର କୋଭିଡ୍‌ରେ ନା ଆଉ କେଉଁଥିରେ ମୃତ୍ୟୁ ହେଲା, ତାହା ଜାଣିବା ମଧ୍ୟ ସମ୍ଭବ ହେଉନି, କାରଣ ମୃତକର ନମୁନା ପରୀକ୍ଷା କରିବା ଦରକାର ନାହିଁ ବୋଲି ଅନେକ କ୍ଷେତ୍ରରେ ଡାକ୍ତର କହିଦେଉଛନ୍ତି। ଏଭଳି ସ୍ଥିତିରେ କୋଭିଡ୍‌ ମୃତ୍ୟୁ ବଢ଼ି ଚାଲିଥିବାରୁ ଚାରିଆଡ଼େ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର