ମୁମ୍ବାଇ: ୧୧ ବର୍ଷ ପୂର୍ବେ ମୁମ୍ବାଇର ଏକ ହୋଟେଲ୍ରେ ଜଣେ ଦକ୍ଷିଣ ଆଫ୍ରିକୀୟ ବ୍ୟବସାୟୀ ଓ ତାଙ୍କ ଶ୍ବଶୁରଙ୍କୁ ଅଭିନେତା ସୈଫ୍ ଅଲି ଖାଁ ଏବଂ ଆଉ ୨ଜଣ କରିଥିବା ଆକ୍ରମଣ ମାମଲାର ବିଚାର ଆସନ୍ତା ମାସରୁ ଆରମ୍ଭ ହୋଇପାରେ ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ଏପ୍ରିଲ୍ ୨୪ ତାରିଖରେ ଏସ୍ପ୍ଲାନେଡ୍ କୋର୍ଟର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସୈଫ୍ ଅଲି ଖାଁ, ଶକୀଲ୍ ଲଡକ୍ ଏବଂ ବିଲାଲ୍ ଆମ୍ରୋହିଙ୍କ ନାଁରେ ଥିବା ଅଭିଯୋଗ ପଢି ଶୁଣାଇଥିଲେ।
ପ୍ରମାଣ ରେକର୍ଡ କରାଇବା ପାଇଁ ଅଦାଲତ ସାକ୍ଷୀମାନଙ୍କୁ ନୋଟିସ୍ ଜାରି କରିଥିବାରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବା ଦିନ ଜୁନ୍ ୧୫ ତାରିଖରୁ ବିଚାର ମଧ୍ୟ ଆରମ୍ଭ କରାଯାଇ ପାରେ।
୨୦୧୨ ଫେବ୍ରୁଆରି ୧୨ ତାରିଖ ଦିନ ତାଜ୍ ହୋଟେଲ୍ରେ ଥିବା ୱାସାବି ରେସ୍ତୋରାଁରେ ମାଡ଼ଗୋଳ ହୋଇଥିବା କହି ବ୍ୟବସାୟୀ ଇକ୍ବାଲ୍ ମିର୍ ଶର୍ମା ଦାଏର କରିଥିବା ଅଭିଯୋଗ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।
ସେ ସମୟରେ ସୈଫ୍ ଅଲି ଖାଁଙ୍କ ସଙ୍ଗରେ ଥିଲେ ପତ୍ନୀ କରୀନା କପୁର ଓ ତାଙ୍କ ଭଉଣୀ କରିସ୍ମା କପୁର, ଅଭିନେତ୍ରୀ ଅମୃତା ଅରୋରା ଏବଂ ଆଉ କେତେକ ପୁରୁଷ ବନ୍ଧୁ।
ପୁଲିସ କହିବା ଅନୁସାରେ, ସୈଫ୍ ଓ ତାଙ୍କ ସହିତ ଥିବା ଅନ୍ୟମାନେ ଉଚ୍ଚସ୍ବରରେ ପାଟି କରୁଥିବାରୁ ବ୍ୟବସାୟୀ ଶର୍ମା ଆପତ୍ତି କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ସୈଫ୍ ତାଙ୍କୁ ଧମକ ଦେବା ସହିତ ମୁଥ ମାରି ତାଙ୍କ ନାକ ହାଡ଼ ଫଟାଇ ଦେଇଥିଲେ। ସୈଫ୍ଙ୍କ ବନ୍ଧୁମାନେ ମଧ୍ୟ ତାଙ୍କୁ ଓ ତାଙ୍କ ଶ୍ବଶୁର ରମଣ ପଟେଲ୍ଙ୍କୁ ଆକ୍ରମଣ କରିଥିବା କଥା ଶର୍ମା ଅଭିଯୋଗ କରିଥିଲେ।
କିନ୍ତୁ, ସୈଫ୍ କହିଥିଲେ ଯେ, ତାଙ୍କ ସହିତ ଆସିଥିବା ମହିଳାମାନଙ୍କ ଉଦ୍ଦେଶ୍ୟରେ ଶର୍ମା ଅସଭ୍ୟ ଭାଷାରେ ରୁଚିହୀନ ଟିପ୍ପଣୀ ଦେବାରୁ ପାଟିତୁଣ୍ଡ ହୋଇଥିଲା। ଏହି ମାମଲାରେ ପୁଲିସ ୨୦୧୨ ଡିସେମ୍ବର ୨୧ରେ ‘ଚାର୍ଜସିଟ୍’ ଫାଇଲ୍ କରିଥିଲା।