ଡେରାଡୁନ୍: ଉତ୍ତରାଖଣ୍ଡର ଯୋଶୀମଠରେ ମାଟି ଧସୁଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସାଟେଲାଇଟ ସର୍ବେକ୍ଷଣ ପରେ ଯୋଶୀମଠରୁ ୬୦୦ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ୬୦୦ ପରିବାରକୁ ସ୍ଥାନାନ୍ତର କରାଯିବା ସହ ପ୍ରାୟ ୪,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗରମାଧ୍ୟମ ଏନଡିଟିଭିଙ୍କୁ କହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ବରିଷ୍ଠ ଅଧିକାରୀଜଣକ କହିଛନ୍ତି।
ଚମୋଲି ଜିଲ୍ଲାର ଜିଲ୍ଲାପାଳ ହିମାଂଶୁ ଖୁରାନା ସୋମବାର ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ, "ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ଧାର୍ମିକ ସହରର ସମସ୍ତ ବିପଜ୍ଜନକ ଅଟ୍ଟାଳିକାରେ ନାଲି ରଙ୍ଗରେ 'ଏକ୍ସ' ଲେଖାଯାଇଛି। ଜିଲ୍ଲା ପ୍ରଶାସନ ଏହି କୋଠାଗୁଡ଼ିକୁ ରହିବା ପାଇଁ ଅସୁରକ୍ଷିତ ଘୋଷଣା କରିବା ପରେ ଏଠାରେ ରହୁଥିବା ବାସିନ୍ଦାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ, ଆମେ ଅସୁରକ୍ଷିତ ଅଞ୍ଚଳ ଚିହ୍ନଟ କରିଛୁ, ଯେଉଁଠି ରହିବା ବିପଦଜନକ। ସିନ୍ଧି ଗାନ୍ଧିନଗର ଏବଂ ମନୋହର ବାଗ୍ ଏହି ଅଞ୍ଚଳ ମଧ୍ୟରେ ରହିଛି।"
ଏହା ପୂର୍ବରୁ ଚମୋଲି ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ପରିଚାଳନା କର୍ତ୍ତୃପକ୍ଷ କହିଥିଲେ, ଏପର୍ଯ୍ୟନ୍ତ ଯୋଶୀମଠରେ ୬୦୩ କୋଠାଘର ଫାଟିଯାଇଛି। ସମୁଦାୟ ୬୮ ପରିବାରକୁ ସାମୟିକ ଭାବେ ସ୍ଥାନାନ୍ତର କରାଯାଇଛି।
ତେବେ ଲଗାତାର ମାଟି ଧସୁଥିବାରୁ ଯୋଶୀମଠକୁ ଭୂମି-ସ୍ଖଳନ ଓ ଭୂମି-ଚପା ଉପଦ୍ରୂତ ଜୋନ୍ ଭାବେ ଘୋଷଣା କରାଯାଇଛି।