କୃଷକମାନଙ୍କୁ ସମର୍ଥନ କରି ଆଜି ମହାରାଷ୍ଟ୍ର ବନ୍ଦ; ପୁଣେ-ବେଙ୍ଗାଲୁରୁ ରାସ୍ତା ଅବରୋଧ କରିଛନ୍ତି ଶିବସେନା କର୍ମୀ

ନୂଆଦିଲ୍ଲୀ: ଅକ୍ଟୋବର ୩ ତାରିଖ ଦିନ ଉତ୍ତର ପ୍ରଦେଶର ଲଖିମ୍‌ପୁର୍‌ ଖେରିରେ ୪ଜଣ କୃଷକଙ୍କୁ ହତ୍ୟା କରାଯାଇଥିବା ପ୍ରତିବାଦରେ ଆଜି ମହାରାଷ୍ଟ୍ର ଏକଦବିସୀୟ ବନ୍ଦ ପାଳନ କରିଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଚଳାଉଥିବା ଗାଡ଼ି ଚାପାରେ ସେ କୃଷକମାନଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ମହାରାଷ୍ଟ୍ର ରାଜ୍ୟର ଶାସକ ‘ମହାବିକାଶ ଆଘାଡୀ’ ମେଣ୍ଟରେ ଥିବା ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ଗତ ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପ୍ରତି ଏପର୍ଯ୍ୟନ୍ତ ମିଶ୍ରିତ ପ୍ରତିକ୍ରିୟା ଦେଖା ଦେଇଛି। ଅନେକ ଜିଲ୍ଲାରେ ଦୋକାନ ଓ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି। ଆଞ୍ଚଳିକ ନଗର ସଙ୍ଗଠନଦ୍ୱାରା ପରିଚାଳିତ ସ୍ଥାନୀୟ ବସ୍‌ ପରିବହନ ସେବା ବନ୍ଦ ରହିଛି। କିନ୍ତୁ, ‘ମୁମ୍ବାଇ ମେଟ୍ରୋପଲିସିଆନ୍‌ ରିଜନ୍‌’ରେ ଆଞ୍ଚଳିକ ଟ୍ରେନ୍‌ ସେବା ସ୍ୱାଭାବିକ ଭାବେ ଚାଲିଛି।

ପୁଣେ-ବେଙ୍ଗାଲୁର୍‌ ଜାତୀୟ ରାଜପଥର କୋହ୍ଲାପୁରରେ ଶିବସେନା କର୍ମୀମାନେ ରାସ୍ତା ଅବରୋଧ କରି ପୁଲିସଦ୍ୱାରା ଅଟକ ଅଛନ୍ତି। ମୁମ୍ବାଇର ଚେମ୍ବୁର୍‌ରେ ମଧ୍ୟ ଦଳୀୟ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି।

Image Courtesy of Newslogic

ପୂର୍ବାହ୍ନ ୧୧ଟାରେ ରାଜଭବନ ବାହାରେ କଂଗ୍ରେସ ମୌନବ୍ରତ ପାଳନ କରିଛି। ସୋଲାପୁରର ମେକାନିକ୍‌ ଚୌକ୍‌ରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରି ପୁଲିସଦ୍ୱାରା ଅଟକ ରହିଛନ୍ତି।

ଗତରାତିରୁ ଏପର୍ଯ୍ୟନ୍ତ ମୁମ୍ବାଇରେ ଅନ୍ୟୂନ ୮ଟି ‘ବିଇଏସ୍‌ଟି’ ବସ୍‌ ଭଙ୍ଗାରୁଜା କରାଯାଇଥିବା କଥା ଜଣେ ମୁଖପାତ୍ର କହିଛନ୍ତି। ତେଣୁ ବସ୍‌ ଚଳାଚଳ ପାଇଁ ପୁଲିସ ସୁରକ୍ଷା ମଗାଯାଇଛି। ତେଣୁ, ସକାଳୁ ଅତି ସ୍ୱଳ୍ପସଂଖ୍ୟକ ବସ୍‌ ଚଳାଚଳ କରୁଛି।

ଆଜିର ଏହି ପ୍ରତିବାଦକୁ ପୁଣେସ୍ଥିତ ପାଇକାରୀ ଏବଂ ଫଳ ବଜାରର ବ୍ୟବସାୟୀମାନେ ସମର୍ଥନ କରୁଛନ୍ତି। ଅଟୋରିକ୍ସା ସଙ୍ଘ ସବୁ ମଧ୍ୟ ପ୍ରତିବାଦକୁ ସମର୍ଥନ କରିଛନ୍ତି। କିନ୍ତୁ, ରାଜ୍ୟ ପରିବହନ ବସ୍‌ ସ୍ୱାଭାବିକ ଭାବେ ଚଳାଚଳ କରୁଛି। ଦିନ ୧୨ଟା ପରେ ‘ପବ୍ଲିକ୍‌ ବସ୍‌ ସର୍ଭିସ୍‌’ ଆରମ୍ଭ ହେବ।

ଏହାଛଡ଼ା, ମୁମ୍ବାଇର ହିନ୍ଦ୍‌ମାତା, ଦାଦର, ଲାଲବାଗ ଏବଂ ପାରେଲ୍‌ରେ ବଜାର ସବୁ ବନ୍ଦ ଅଛି। ନଓ୍ଵି ମୁମ୍ବାଇ ଓ ନାଶିକ ‘ଏଏମ୍‌ପିସି’ ମାର୍କେଟ୍‌ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଅଛି।

ସମ୍ବନ୍ଧିତ ଖବର