ପାକିସ୍ତାନକୁ ଏଫ-୧୬ ସହାୟତା : ଭାରତର ଚିନ୍ତା ସଂପର୍କରେ ଆମେରିକାକୁ ଜଣାଇଲେ ରାଜନାଥ

ନୂଆଦିଲ୍ଲୀ : ଆମେରିକା ଦ୍ବାରା ପାକିସ୍ତାନକୁ ୪୫୦ ନିୟୁତ ଡଲାର ମୂଲ୍ୟର ଏଫ-୧୬ ଲଢୁଆ ବିମାନ ନବୀକରଣ କାର୍ଯ୍ୟକ୍ରମକୁ ନେଇ ଭାରତ ନିଜର ଚିନ୍ତା ଆମେରିକାକୁ ଜଣାଇଦେଇଛି । ଏ ନେଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନଙ୍କୁ ଜଣାଇଦେଇଛନ୍ତି ।

ଅଷ୍ଟିନଙ୍କ ସହ ଏକ ଟେଲିଫୋନ ଆଲୋଚନା କାଳରେ ରାଜନାଥ ଏହି ପ୍ରସଙ୍ଗ ଉଠାଇବା ସହ ଭାରତର ଚିନ୍ତାକୁ ଜଣାଇଦେଇଛନ୍ତି । ଏହି ପ୍ରସଙ୍ଗ ଛଡ଼ା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଆତଙ୍କବାଦର କେନ୍ଦ୍ର ବୋଲି କହି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ଲାମାବାଦକୁ  ଆର୍ଥିକ ଓ ସାମରିକ ସହାୟତା ବନ୍ଦ କରିଥିବାବେଳେ ତାହାକୁ ପୁଣି ଆରମ୍ଭ କରିଦେଇଛନ୍ତି ଜୋ ବାଇଡେନ ସରକାର ।

ନିକଟରେ ବାଇଡେନ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ୪୫୦ ନିୟୁତ ଡଲାରର ସାମରିକ ସରଞ୍ଜାମ ବିକ୍ରିକୁ ମଂଜୁରୀ ଦିଆଯାଇଛି । ଏହା ମାଧ୍ୟମରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ । ଏହି ସହାୟତା ମାଧ୍ୟମରେ ପାକିସ୍ତାନି ନିଜର ଏଫ-୧୬ ଲଢୁଆ ବିମାନଗୁଡ଼ିକୁ ବର୍ତ୍ତମାନ ଓ ଭବିଷ୍ୟତର ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ପ୍ରସ୍ତୁତ କରିପାରିବ ବୋଲି ବାଇଡେନ ପ୍ରଶାସନ କହିଛି । ପରେ ଆମେରିକାର ଉପ-ପରରାଷ୍ଟ୍ର ସଚିବ (ଦକ୍ଷିଣ ଓ କେନ୍ଦ୍ର ଏସିଆ) ଡୋନାଲ୍ଡ ଲୁ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ  ପାକିସ୍ତାନକୁ କୌଣସି  ଅନୁଦାନ ଦିଆଯାଉନାହିଁ । ପାକିସ୍ତାନକୁ ୪୫୦ ନିୟୁତ ଡଲାରର ସାମରିକ ଯନ୍ତ୍ରାଂଶ ବିକ୍ରି କରାଯିବ ।

 

ସମ୍ବନ୍ଧିତ ଖବର