ତାମିଲନାଡୁରେ ଆସନ ବଣ୍ଟାକୁ ନେଇ ଡିଏମକେ ଓ କଂଗ୍ରେସ ମଧ୍ୟରେ ବିବାଦ: ମିଳିତ ମଞ୍ଚରୁ ଓହରିବାକୁ କଂଗ୍ରେସର ଧମକ

ଚେନ୍ନାଇ: ତାମିଲନାଡୁରେ ଏଆଇଏଡିଏମ୍‌କେ ଓ ବିଜେପି ମେଣ୍ଟକୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ଡିଏମକେ ନେତୃତ୍ୱରେ ଗଠିତ ହୋଇଥିଲା ମିଳିତ ମଞ୍ଚ। ଏହି ମିଳିତ ମଞ୍ଚରେ ଡିଏମକେ ସହ ଏକାଠି ହୋଇଥିଲେ କଂଗ୍ରେସ ସମେତ ଦୁଇ କମ୍ୟୁନିଷ୍ଟ ଦଳ, ତିନି ଆଞ୍ଚଳିକ ଦଳ ଓ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ। ୨୩୪ ଆସନ ବଶିଷ୍ଟ ବିଧାନସଭା ନିର୍ବାଚନରେ ଆସନ ସବୁକୁ ପରସ୍ପର ମଧ୍ୟରେ ଭାଗବଣ୍ଟା କରି ଏକାଠି ନିର୍ବାଚନ ଲଢ଼ିଥାନ୍ତେ।

ତେବେ, ଏହି ମିଳିତ ମଞ୍ଚର ନେତୃତ୍ୱ ନେଇଥିବା ଡିଏମକେ ଦ୍ୱାରା ଆସନ ଭାଗବଣ୍ଟା ନେଇ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ସେଥିରେ ଅନ୍ୟ ସମସ୍ତ ସହଯୋଗୀ ଦଳ ସହମତି ପ୍ରକାଶ କରିଥିବା ବେଳେ କଂଗ୍ରେସ କିନ୍ତୁ ତାହାକୁ ଅଗ୍ରାହ୍ୟ କରି ଦେଇଛି। କଂଗ୍ରେସକୁ ୧୮ଟି ଆସନ ମିଳିଥିବା ବେଳେ କଂଗ୍ରେସ ଏହାକୁ ନେଇ ନିଜର ଆପତ୍ତି ଉଠାଇଛି।

୨୦୧୬ ବିଧାନସଭା ନିର୍ବାଚନରେ ମିଳିଥିବା ୪୧ଟି ଆସନ ସ୍ଥାନରେ ଏଥର ମାତ୍ର ୧୮ଟି କାହିଁକି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଅନ୍ୟପକ୍ଷରେ ମଞ୍ଚର ନେତୃତ୍ୱ ନେଇଥିବା ଡିଏମକେ କହିଛି ଯେ ଏଥର ମଞ୍ଚରେ ସମ୍ପ୍ରସାରଣ ଘଟିଛି। ୨୦୧୬ ନିର୍ବାଚନରେ ଦୁଇ କମ୍ୟୁନିଷ୍ଟ ଦଳ ଓ ଅନ୍ୟ ଦୁଇ ଆଞ୍ଚଳିକ ଦଳ ତୃତୀୟ ସାମ୍ମୁଖ୍ୟର ଅଂଶ ହୋଇ ନିର୍ବାଚନ ଲଢ଼ିଥିବା ବେଳେ ଏଥର ମଞ୍ଚରେ ସାମିଲ ହୋଇଛନ୍ତି। ସେଥିପାଇଁ କଂଗ୍ରେସକୁ ଏଥର ୧୮ଟି ଆସନ ମିଳିଛି।

କଂଗ୍ରେସ କିନ୍ତୁ ୩୦ଟି ଆସନ ଚାହୁଁଛି ଏବଂ ୧୮ଟି ଆସନ ଅଫର ଗ୍ରହଣୀୟ ନୁହେଁ ବୋଲି କହିଛି। କଂଗ୍ରେସ କହିଛି ଏଆଇଏଡିଏମକେ ସହ ମେଣ୍ଟକରି ବିଜେପି ଯଦି ୨୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ; ତେବେ ଆମେ କାହିଁକି ୩୦ରୁ କମ ଆସନରେ ଲଢ଼ିବୁ? ଜଣେ କଂଗ୍ରେସ ସାଂସଦ କହିଛନ୍ତି ଯେ ହାଇକମାଣ୍ଡ ଦଳର ସମ୍ମାନ ବଜାୟ ରଖିବା ପାଇଁ ୩୦ଟି ଆସନରୁ କମ ଆସନରେ ବୁଝାମଣା କରିବାକୁ ଚାହୁଁନାହାଁନ୍ତି। ଯଦି ଡିଏମକେ ଅଧିକ ଆସନ ଦେବାକୁ ରାଜି ନହୁଏ ତେବେ କଂଗ୍ରେସ ମିଳିତ ମଞ୍ଚରୁ ବାହାରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ସମ୍ବନ୍ଧିତ ଖବର