ଚେନ୍ନାଇ: ଦେଶରେ କରୋନାଭୂତାଣୁର ପ୍ରାଦୁର୍ଭାବ ବେଳେ ସମସ୍ତଙ୍କର ଦୃଷ୍ଟି କେବଳ ତାହାର ସଂକ୍ରମଣ ରୋକିବା ଉପରେ ନିବଦ୍ଧ ରହିଥିଲା। ଏଥି ସହିତ ଜାରି ହୋଇଥିବା ଲକ୍ଡାଉନ୍ ସ୍ଥିତି ଯୋଗୁଁ ଦୋକାନ ବଜାର ବନ୍ଦ ସାଙ୍ଗକୁ ଗାଡ଼ିମୋଟର ଚଳାଚଳ ଠପ୍ ହୋଇଯିବାରୁ କିଛି ନିର୍ଦ୍ଦିଷ୍ଟ ଔଷଧ ଯୋଗାଣରେ ମଧ୍ୟ ଅଭାବ ପରିଲକ୍ଷିତ ହୋଇଥିଲା। ଏହି କ୍ରମରେ ତାମିଲନାଡୁରେ ଅତ୍ୟାବଶ୍ୟକ ଗର୍ଭନିରୋଧକ ବଟିକା(ଇସିପି)ର ଚାହିଦା ବଢ଼ିଥିବା ସତ୍ତ୍ବେ କୌଣସି ଦୋକାନ ବା ସରକାରୀ ଡାକ୍ତରଖାନାରେ ଏହାର ଘୋର ଅଭାବ ଦେଖାଯାଇଥିଲା। ଏହାର ପରିଣତି ସ୍ବରୂପ ରାଜ୍ୟରେ ଆଗକୁ ପାଖାପାଖି ଏକଲକ୍ଷରୁ ଅଧିକ ଅବାଞ୍ଛିତ ଶିଶୁ ଜନ୍ମ ନେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଇସିପି ଗ୍ରହଣ କରିବାରେ ତାମିଲନାଡୁ ମହିଳାଙ୍କର ଦେଶରେ ସ୍ବତନ୍ତ୍ର ସ୍ଥାନ ରହିଛି। ଚଳିତ ବର୍ଷ ପ୍ରାରମ୍ଭରେ ଫାଉଣ୍ଡେସନ ଫର ରିପ୍ରଡକ୍ଟିଭ୍ ହେଲ୍ଥ ସର୍ଭିସେସ୍ ଇନ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ତାମିଲନାଡୁର ୦.୨ ପ୍ରତିଶତ ମହିଲା ଇସିପି ଉପରେ ଭରସା ରଖିଥାନ୍ତି। ସେହିପରି ଲକ୍ଡାଉନ୍ ବେଳେ ତାମିଲନାଡୁର ୫,୪୭,୨୨୭ ଜଣ ଗ୍ରାହକ ସେମାନଙ୍କ ମନ ପସନ୍ଦର ଗର୍ଭନିରୋଧକ ଉପଲବ୍ଧ କରିପାରିନଥିଲେ। ସେଥି ମଧ୍ୟରୁ ୪,୫୨୨ ଜଣ କେବଳ ଇସିପି ଚାହିଥିବା ବେଳେ ସେମାନଙ୍କୁ ତାହା ମିଳିନଥିଲା। ତେବେ ଏହାର ସାଂଘାତିକ ପରିଣତି ଦିଗଟି ଅତ୍ୟନ୍ତ ଶୋଚନୀୟ । ରାଜ୍ୟରେ ଏଥିପାଇଁ ଆଗକୁ ଲକ୍ଷେ ୨୪ ହଜାରରୁ ଅଧିକ ଅବାଞ୍ଛିତ ଗର୍ଭଧାରଣ ଏବଂ ୭୫,୪୪୬ ଅଧିକ ଗର୍ଭପାତ ତଥା ସେଥିରୁ ଅଧିକାଂଶ ବିପଦପୂର୍ଣ୍ଣ ହେବା ସହ ୯୧ଟି ପ୍ରସବକାଳୀନ ମୃତ୍ୟୁ ହେବ ବୋଲି ଏହି ସର୍ବେକ୍ଷଣର ତଥ୍ୟ କହୁଛି।