ଜୀବନକାହାଣୀ ଲେଖିଲେ ସିଇଓ ରାଧିକା ଗୁପ୍ତା: ତାଚ୍ଛଲ୍ୟରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ

ନୂଆଦିଲ୍ଲୀ: ଏଡଲୱାଇସ ଏମ୍‌ଏଫ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାଧିକା ଗୁପ୍ତା ନିଜର ବଙ୍କା ବେକ ପାଇଁ ତାଚ୍ଛଲ୍ୟର ଶିକାର ହେବାଠାରୁ ଆରମ୍ଭ କରି ଦେଶର କନିଷ୍ଠତମ ସିଇଓମାନଙ୍କ ମଧ୍ୟରୁ ଅନ୍ୟତମା ହେବା ପର୍ଯ୍ୟନ୍ତ ନିଜର ସଂଘର୍ଷପୂର୍ଣ୍ଣ ଜୀବନଯାତ୍ରାର କାହାଣୀ ବର୍ଣ୍ଣନା କରିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରେ। ଅନ୍‌ଲାଇନ୍ ଫଟୋ ବ୍ଲଗ୍‌ ‘ହ୍ୟୁମାନ୍ସ ଅଫ୍ ବମ୍ବେ’ରେ ରାଧିକା ଲେଖିଛନ୍ତି- ଜନ୍ମରୁ ତାଙ୍କର ବେକ ଟିକେ ବଙ୍କା। ତେବେ ସ୍କୁଲରେ ପଢ଼ିବା ବେଳେ ଅନ୍ୟମାନଙ୍କଠାରୁ ଅଲଗା ବାରି ହେବା ପାଇଁ ଏହା ଏକମାତ୍ର କାରଣ ନ ଥିଲା। ତାଙ୍କ ବାପା ଥିଲେ ଜଣେ କୂଟନୀତିଜ୍ଞ। ନାଇଜେରିଆ ଆସିବା ପୂର୍ବରୁ ସେ ପାକିସ୍ତାନ, ନ୍ୟୁୟର୍କ ଓ ଦିଲ୍ଲୀରେ ବାସ କରିଛନ୍ତି। ତାଙ୍କ ଭାରତୀୟ ଉଚ୍ଚାରଣ ଶୈଳୀକୁ ବିଚାର କରି ସାଙ୍ଗମାନେ ତାଙ୍କୁ ‘ଆପୁ’ ବୋଲି ଡାକୁଥିଲେ, ଯାହା ଦୀର୍ଘତମ ଆମେରିକୀୟ ଧାରାବାହିକ ‘ଦ ସିମ୍ପସନ୍ସ’ର ଏକ ଚରିତ୍ର।

ରାଧିକାଙ୍କ ମାଆ ସେ ପଢ଼ୁଥିବା ସ୍କୁଲରେ ହିଁ କାର୍ଯ୍ୟ କରୁଥିଲେ ଏବଂ ସେ ଅତ୍ୟନ୍ତ ସୁନ୍ଦର ଥିଲେ। ଏପରି ସୁନ୍ଦରୀ ମାଆର ଏତେ ଅସୁନ୍ଦର ଝିଅ! ସ୍କୁଲ ଜୀବନରେ ତାଙ୍କୁ ସବୁବେଳେ ତାଙ୍କ ମାଆଙ୍କ ସହ ତୁଳନା କରାଯାଉଥିଲା। ଏଥିରେ ରାଧିକାଙ୍କ ଆତ୍ମବିଶ୍ବାସ ଭାଙ୍ଗିଯାଉଥିଲା। ଚାକିରି ପାଇଁ ଚେଷ୍ଟା କରି ସପ୍ତମ ଥର ବି ବିଫଳ ହେବା ପରେ ଶେଷରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ସେ ଝରକା ବାଟେ ତଳକୁ ଡେଇଁ ପଡ଼ିବାକୁ ବସିଥିଲେ। ତାଙ୍କ ସାଙ୍ଗ ସାହାଯ୍ୟ ପାଇଁ ଡାକ ପକାଇଲା। ତାଙ୍କୁ ଏକ ସାଇକିଆଟ୍ରିକ୍ ୱାର୍ଡରେ ଭର୍ତ୍ତି କରାଗଲା। ଡାକ୍ତର କହିଲେ ସେ ଅତ୍ୟନ୍ତ ମାନସିକ ବିଷାଦଗ୍ରସ୍ତ।

ତାଙ୍କୁ ଘରୁ ବାହାରକୁ ଛଡ଼ାଯାଉ ନ ଥିଲା। ଚାକିରି ପାଇଁ ଇଣ୍ଟରଭ୍ୟୁ ଅଛି ବୋଲି କହିବାରୁ ଛଡ଼ାଗଲା। ସେ ମ୍ୟାକିନ୍‌ସେ କମ୍ପାନିରେ ଚାକିରି ପାଇଗଲେ। କିଛିବର୍ଷ ପରେ ସେ ତାଙ୍କର ସ୍ବାମୀ ଓ ଜଣେ ସାଙ୍ଗଙ୍କ ସହ ନିଜର ଆସେଟ୍ ମ୍ୟାନେଜମେଣ୍ଟ ଫାର୍ମ ଆରମ୍ଭ କଲେ। ଏହି କମ୍ପାନିକୁ ପରେ ଏଡଲୱାଇସ୍ ମ୍ୟୁଚୁଆଲ ଫଣ୍ଡ ଅଧିଗ୍ରହଣ କଲା ଏବଂ ରାଧିକା ବନିଗଲେ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। କମ୍ପାନିର ସିଇଓ ଦାୟିତ୍ବ ନେବା ପାଇଁ ମଧ୍ୟ ତାଙ୍କର ସ୍ବାମୀ ତାଙ୍କୁ ଉତ୍ସାହିତ କରିଥିଲେ। ରାଧିକା ଗୁପ୍ତା ଲେଖିଛନ୍ତି, – ବର୍ତ୍ତମାନ ଯଦି କିଏ ତାଙ୍କ ଚେହେରାକୁ ନେଇ କମେଣ୍ଟ ମାରେ ତେବେ ସେ କହନ୍ତି, ‘‘ହଁ ମୋର ଆଖି ଟେରା ଓ ବେକ ବଙ୍କା। ଆପଣଙ୍କର କ’ଣ ବିଶେଷତ୍ବ ଅଛି କୁହନ୍ତୁ ତ?’’

ସମ୍ବନ୍ଧିତ ଖବର