ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗ ନେଇ ଆଜି ଦିଲ୍ଲୀ ବିଧାନସଭାରେ ହଙ୍ଗାମା ହୋଇଛି। ଦିଲ୍ଲୀ ବିଧାନସଭାରେ ଆଜି ମଣିୁପର ପ୍ରସଙ୍ଗରେ ଆଲୋଚନାକୁ ବିରୋଧ କରିବାରୁ ୫ ଜଣ ବିଜେପି ବିଧାୟକଙ୍କୁ ମାର୍ଶାଲ୍ଙ୍କ ଦ୍ବାରା ଗୃହରୁ ବାହାର କରିଦିଆଯାଇଛି। ଏହାକୁ ବିରୋଧ କରି ଅନ୍ୟ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି। ଆପ୍ ବିଧାୟକ ଦୁର୍ଗେଶ ପାଠକ ଆଜି ମଣିପୁର ହିଂସା ପ୍ରସଙ୍ଗରେ ଏକ ସ୍ପଳ୍ପ ସମୟର ଆଲୋଚନା ଆରମ୍ଭ କରିଥିଲେ। ତେବେ ଏହି ଆଲୋଚନାକୁ ବିଜେପି ବିଧାୟକମାନେ ପ୍ରବଳ ବିରୋଧ କରିଥିଲେ। ବିଜେପି ବିଧାୟକମାନେ କହିଥିଲେ ଗୃହରେ ଦିଲ୍ଲୀ ପ୍ରସଙ୍ଗରେ ଆଲୋଚନା ହେବା ଉଚିତ। ଆପ୍ ବିଧାୟକ କହିଥିଲେ ଦିଲ୍ଲୀରେ ଲକ୍ଷ ଲକ୍ଷ ମଣିପୁର ଲୋକ ରହୁଛନ୍ତି ଏବଂ ଗୃହରେ ଉକ୍ତ ପ୍ରସଙ୍ଗରେ ଆଲୋଚନା କରିବା ଆମ ଅଧିକାର ଏବଂ କର୍ତ୍ତବ୍ୟ । ଉପ ବାଚସ୍ପତି ରାଖି ବିର୍ଲା ବିଜେପି ବିଧାୟକଙ୍କ ବିଦ୍ରୋହକୁ ବିରୋଧ କରି ପ୍ରଶ୍ନ କରିଥିଲେ।
ବିର୍ଲା କହିଥିଲେ ବିଜେପି ବିଧାୟକମାନେ ଭାବୁଛନ୍ତି କି ମଣିପୁର ପ୍ରସଙ୍ଗରେ ଗୃହରେ ଆଲୋଚନା ହେବା ଜରୁରୀ ନୁହେଁ। ଉତ୍ତରପ୍ରଦେଶ ବିଧାନସଭାରେ ମଧ୍ୟ ମଣିପୁର ପ୍ରସଙ୍ଗରେ ଆଲୋଚନା ହୋଇଛି ବୋଲି ସେ କହିଥିଲେ। ତେବେ ବିଜେପି ବିଧାୟକମାନେ ଲଗାତାର ବିରୋଧ ଜାରି ରଖିବାରୁ ୫ ବିଧାୟକ ଅଭୟ ବର୍ମା, ଜିତେନ୍ଦ୍ର ମହାଜନ, ଅଜୟ ମହାୱର, ଓପି ଶର୍ମା ଏବଂ ମୋହନ ସିଂହଙ୍କୁ ମାର୍ଶାଲ ଲଗାଇ ଗୃହରୁ ବାହାର କରିଦିଆଯାଇଥିଲା। ଏହାପରେ ଅନ୍ୟ ବିଜେପି ବିଧାୟକମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୮ ଜଣ ବିଜେପି ବିଧାୟକ ଅଛନ୍ତି। ବିଜେପି ବିଧାୟକମାନେ ଏହାପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଫିସ୍ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ବ୍ଲାକ୍ ଟି-ସାର୍ଟ ଏବଂ କ୍ୟାପ୍ ପିନ୍ଧିବା ସହ ହାତରେ ପ୍ଲାକାର୍ଡ ଧରି କେଜ୍ରିୱାଲଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।