ପୁଣି ଚର୍ଚ୍ଚାରେ ପ୍ରଣବଙ୍କ ଆତ୍ମଜୀବନୀ ପୁସ୍ତକ, ମୋଦୀ ନିଜ ସାମର୍ଥ୍ୟରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ନିଜ ସାମର୍ଥ୍ୟରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଡ. ମନମୋହନ ସିଂହ ସୋନିଆ ଗାନ୍ଧିଙ୍କ ପସନ୍ଦରେ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ମୋଦୀ ଲୋକଙ୍କ ପସନ୍ଦରେ ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି ବୋଲି ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀ ଗତକାଲି ପ୍ରକାଶ ପାଇଥିବା ନିଜ ଆତ୍ମଜୀବନୀ ପୁସ୍ତକ ‘ଦି ପ୍ରେସିଡେନ୍‌ସିଆଲ ଇୟର୍ସ ୨୦୧୨-୨୦୧୭’ର ଶେଷ ଭାଗରେ ଉଲ୍ଲେଖ କରିଛନ୍ତି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେପିକୁ ମିଳିଥିବା ସ୍ପଷ୍ଟ ବହୁମତ ଏବଂ କଂଗ୍ରେସର ବିଫଳତା ସମ୍ପର୍କରେ ମଧ୍ୟ ପ୍ରଣବ ପ୍ରକାଶ କରିଛନ୍ତି। କଂଗ୍ରେସ ଦଳରେ ଲୋକଙ୍କ ଆସ୍ଥାଭାଜନ ହେଲା ଭଳି ବଳିଷ୍ଠ ନେତୃତ୍ବର ଅଭାବ ରହିଛି ଏବଂ କଂଗ୍ରେସ ଏହାକୁ ବୁଝିବାରେ ବିଫଳ ହୋଇଛି ବୋଲି ପ୍ରଣବ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସମ୍ପର୍କ ସର୍ବଦା ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ଉଲ୍ଲେଖ କରି ପ୍ରଣବ ଲେଖିଛନ୍ତି ଆମର ପ୍ରତ୍ୟେକ ସାକ୍ଷାତ ସମୟରେ ମୁଁ ତାଙ୍କୁ ପରାମର୍ଶ ଦେବାକୁ ପଛାଉ ନଥିଲି। ଭାରତର ବିଦେଶ ନୀତିକୁ ଅଧିକ ସକ୍ରିୟ ଏବଂ ସଫଳ କରିବାରେ ମୋଦୀଙ୍କ ରଣନୀତି ପ୍ରଶଂସନୀୟ। ତେବେ ସଂସଦ ପରିଚାଳନା କ୍ଷେତ୍ରରେ ସରକାରଙ୍କ ଅହଂକାର ଏବଂ ଅଧିକାଂଶ ସମୟରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ସୁସ୍ଥ ବିତର୍କ ସମ୍ଭବ ହୋଇ ପାରୁନଥିଲା ବୋଲି ପ୍ରଣବ ଉଲ୍ଲେଖ କରିଛନ୍ତି। ବିମୁଦ୍ରୀକରଣ ସମ୍ପର୍କରେ ପ୍ରଣବ ଲେଖିଛନ୍ତି, ୨୦୧୬ ନଭେମ୍ବର ୮ ତାରିଖ ରାତିରେ ଯେତେବେଳେ ପ୍ରଧାନମନ୍ତ୍ରୀ ଏ ବାବଦରେ ଘୋଷଣା କଲେ ସେତେବେଳେ ତାଙ୍କ ସହ କୌଣସି ପରାମର୍ଶ କରି ନଥିଲେ। ତେବେ ଏହା ଏକ ଅପ୍ରତ୍ୟାଶିତ ଘୋଷଣା ହୋଇଥିବାରୁ ସେ ଏହାକୁ ସ୍ବାଭାବିକ ଭାବେ ଗ୍ରହଣ କରିଥିଲେ ବୋଲି ପ୍ରଣବ କହିଛନ୍ତି।

ସମ୍ବନ୍ଧିତ ଖବର