ଲକ୍ଷ୍ନୌ: ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟରେ ଏହି ୱେବ୍ ସିରିଜ୍କୁ ବିରୋଧ କରାଯାଇଥିବା ବେଳେ ଉତ୍ତର ପ୍ରଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ‘ତାଣ୍ଡବ’ର ନିର୍ଦ୍ଦେଶକ ଏବଂ କଳାକାରଙ୍କ ବିରୋଧରେ ୨ଟି ଏଫ୍ଆଇଆର୍ ଲକ୍ଷ୍ନୌରେ ରୁଜୁ ହୋଇଛି । ସେମାନଙ୍କୁ ଜେରା କରିବା ପାଇଁ ୟୁପି ପୁଲିସର ୪ ଜଣ ଅଧିକାରୀ ମୁମ୍ବାଇ ଯାଇଛନ୍ତି। ଶୁକ୍ରବାର ଦିନ ରିଲିଜ୍ ହୋଇଥିବା ଏହି ୱେବ୍ ସିରିଜରେ ହିନ୍ଦୁ ଭାବନାକୁ ଆଘାତ କଲାଭଳି ଦୃଶ୍ୟ ଏବଂ ସଂଳାପ ରହିଥିବା ଅଭିଯୋଗ ହୋଇଛି। ସିରିଜ୍ ନିର୍ଦ୍ଦେଶକ ଜାଣିଶୁଣି ବଡ଼ ଧରଣର ବିବାଦ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି ବୋଲି ଦର୍ଶାଇ ଏହା ଉପରେ ତତ୍କାଳ ରୋକ୍ ଲଗାଇବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏଭଳି ଅଭିଯୋଗ ଆଧାରରେ ଆମଜନ୍ ପ୍ରାଇମ୍ଠାରୁ ଜବାବ ତଲବ କରିଛନ୍ତି।
ସୈଫ୍, ଆମାଜନ୍ ପ୍ରାଇମ୍ କାର୍ଯ୍ୟାଳୟରେ ସୁରକ୍ଷା ବଢ଼ିଲା
ବିଏସ୍ପି ସୁପ୍ରିମୋ ମାୟାବତୀ କହିଛନ୍ତି, ଏହି ସିରିଜ୍ ଅତି ମାତ୍ରାରେ ବିବାଦୀୟ ଏବଂ ଏହା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ତୁରନ୍ତ ଏହାର ବିବାଦୀୟ ଦୃଶ୍ୟ ହଟାଯିବାକୁ ସେ ଦାବି କରିଛନ୍ତି। ଆମାଜନ ପ୍ରାଇମ୍ର ଭାରତ ମୁଖ୍ୟ ଅପର୍ଣ୍ଣା ପୁରୋହିତ, ତାଣ୍ଡବର ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜାଫର, ନିର୍ମାତା ହିମାଂଶୁ କୃଷ୍ଣ ମେହର, ଲେଖର ଗୌରବ ସୋଲାଙ୍କି ଏବଂ ଅନ୍ୟମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ‘ତାଣ୍ଡବ’କୁ ନେଇ ବିବାଦ ବଢ଼ୁଥିବାରୁ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ଆମାଜନ୍ ଅଫିସ୍ରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବିଜେପି ସାଂସଦ ମନୋଜ କୋଟାକ୍ ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ପତ୍ର ଲେଖି ତୁରନ୍ତ ଏହି ସିରିଜ୍କୁ ନିଷିଦ୍ଧ କରିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନିର୍ଦ୍ଦେଶକ ଜାଫର୍ ଆଜି ସନ୍ଧ୍ୟାରେ କହିଛନ୍ତି ଯେ କେତେକ ଦୃଶ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ସେ ଏଥିପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି।