ନୂଆଦିଲ୍ଲୀ/ଭୁବନେଶ୍ବର/ବାରିପଦା: ସାଧାରଣ ନିର୍ବାଚନର ବିପର୍ଯ୍ୟୟ ପରେ ଆଜି ବିଜେଡିକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି। ଏହା ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳ ସହ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। ମମତାଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟରେ ଏକ ବଡ଼ ଧରଣର ରାଜନୈତିକ ଝଡ଼ର ଏହା ପ୍ରାକ୍ ସୂଚନା ବୋଲି ଅନୁମାନ କରାଯାଉଛି। ଆଜି ଅପରାହ୍ନରେ ଶ୍ରୀମତୀ ମହାନ୍ତଙ୍କ ଇସ୍ତଫା ସମ୍ପର୍କରେ ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନକଡ଼ ସୂଚନା ଦେଇଥିଲେ। ସେ ମମତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ବୋଲି ଅବଗତ କରାଇଥିଲେ। ଅଧ୍ୟକ୍ଷଙ୍କ ଏହି ଘୋଷଣା ବିଜେଡି ସାଂସଦମାନଙ୍କୁ ବି ଚକିତ କରିଦେଇଥିଲା। ଆଜି ଦିନତମାମ ଦଳର ସାଂସଦମାନେ ଏ ସମ୍ପର୍କରେ ସୁରାକ୍ ପାଇ ନଥିଲେ। ଆଜି ମମତା ରାଜ୍ୟସଭାକୁ ଆସି ନଥିଲେ। କିନ୍ତୁ ସଂସଦ ପରିସରରେ କିଛି ସଦସ୍ୟଙ୍କ ସହ ସେ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଗତକାଲି ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ରାଜ୍ୟସଭା ବିଜେଡି ସାଂସଦଙ୍କ ବୈଠକରେ ମଧ୍ୟ ସେ ଯୋଗ ଦେଇ ନଥିଲେ। ମମତା ରାଜ୍ୟସଭା ସଦସ୍ୟ ଭାବେ ୨୦୨୦ ଏପ୍ରିଲ୍ ୩ ତାରିଖରେ ନିର୍ବାଚିତ ହୋଇଥିଲେ। କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପରେ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ସଂଖ୍ୟା ୮କୁ ଖସିଛି।
ମମତା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କର ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ସେ ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେବା ସହ ବିଜେଡି ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ସେ ଦର୍ଶାଇଛନ୍ତି, ଆଜି ମୋର ସେବାର ଆବଶ୍ୟକତା ଦଳ ଅନୁଭବ କରୁନାହିଁ। ମୁଁ ଯେହେତୁ ଲୋକଙ୍କ ନେତା ଓ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ। ସେଥି ପାଇଁ ମୁଁ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ। ତେଣୁ ମୁଁ ବିଜେଡିର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି। ବିଜେଡି ସଭାପତି ତାଙ୍କୁ ଜିଲ୍ଲା ପରିଷଦ ସଦସ୍ୟ ଓ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରି ମୟୂରଭଞ୍ଜ ଓ ରାଜ୍ୟର ସେବା କରିବାର ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।
ଦିଲ୍ଲୀରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଇସ୍ତଫା ଦେବା ପୂର୍ବରୁ ମମତା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଜେପିର କିଛି ତୁଙ୍ଗ ନେତାଙ୍କ ସହ ଆଲୋଚନା କରିଥିଲେ। ସେ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି। ମମତାଙ୍କ ଇସ୍ତଫା ପରେ ଖାଲି ହୋଇଥିବା ସ୍ଥାନରେ ନିର୍ବାଚନ ହେବ। ଏବେ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ରାଜ୍ୟସଭା ଆସନ ଦଖଲ କରିବା ଏକପ୍ରକାର ନିଶ୍ଚିତ। ରାଜ୍ୟସଭାରେ ସଂଖ୍ୟା ବଢ଼ାଇବାକୁ ବିଜେପିର ଏହା ଏକ ବଡ଼ ଯୋଜନା ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଏବେ ବିଜେଡିର ଅନ୍ୟ ସାଂସଦମାନଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଆଉ କିଛି ସାଂସଦ ମମତାଙ୍କ ରାସ୍ତାରେ ଯିବେ ବୋଲି ଆଲୋଚନା ଜୋର୍ ଧରିଛି। ରାଜ୍ୟସଭାରେ ୯ ସାଂସଦ ଥିବାରୁ ବିଜେଡି କେନ୍ଦ୍ରର ବିଜେପି ସରକାର ସହ ମୂଲ୍ଚାଲ୍ କରିବାକୁ ଯୋଜନା କରିଥିଲା। ରାଜ୍ୟସଭାରେ ଦଳ ବେଶ୍ ସକ୍ରିୟ ବି ଥିଲା। କିନ୍ତୁ ଏବେ ମମତାଙ୍କ ଇସ୍ତଫା ପରେ ସବୁ ଗଣିତ ଓଲଟପାଲଟ ହୋଇଯାଇଛି।
ମମତାଙ୍କ ବାଦ୍ ନିରଞ୍ଜନ ବିଶି, ମୁନା ଖାନ୍ ଓ ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ରେ ଶେଷ ହେବ। ଏବେ ମମତାଙ୍କ ବଦଳରେ ଯିଏ ନିର୍ବାଚିତ ହେବେ, ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍ ଯାଏ ରହିବେ। ସୂଚନାଯୋଗ୍ୟ ଯେ ୨୦୨୦ରେ କୁଡ଼ୁମୀ ସମ୍ପ୍ରଦାୟର ଉଚ୍ଚଶିକ୍ଷିତା ମମତା ମହାନ୍ତଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା। ମୟୂରଭଞ୍ଜରେ ୫ ଲକ୍ଷରୁ ଊର୍ଦ୍ଧ୍ବ କୁଡ଼ୁମୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବାରୁ ଏହି ଭୋଟ୍ବ୍ୟାଙ୍କ ଉପରେ ନଜର ରଖି ଦଳ ତାଙ୍କୁ ସାଂସଦ କରିଥିବା ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲା। ତେବେ ସାଂସଦ ହେବାର ପ୍ରାୟ ୨ ବର୍ଷ ପରେ ଜିଲ୍ଲା ବିଜେଡିର ଏକ ଟାଣୁଆ ଗୋଷ୍ଠୀ ତାଙ୍କୁ କୋଣଠେସା କରୁଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ମମତାଙ୍କୁ ଦଳୀୟ ସଭାସମିତିରେ ଦେଖିବାକୁ ମିଳୁନଥିଲା। ହେଲେ ଦଳର ଶୀର୍ଷ ନେତୃତ୍ବ କୌଣସିମତେ ତାଙ୍କୁ ବୁଝାଇବା ସହ ଗତ ନିର୍ବାଚନରେ ତାଙ୍କୁ ତାରକା ପ୍ରଚାରକ କରିଥିଲେ। ସେ ମଧ୍ୟ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳ ପାଇଁ ପ୍ରଚାର କରିଥିଲେ। ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ଓ ମୟୂରଭଞ୍ଜରୁ ଦଳ ଏକପ୍ରକାର ନିଶ୍ଚିହ୍ନ ହୋଇଯିବା ପରେ ମମତାଙ୍କ ସମେତ ଦଳର ଅଧିକାଂଶ ବରିଷ୍ଠ ନେତା ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ।