ପାଟଣା: ନଭେମ୍ବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିହାର ପ୍ରସ୍ତୁତ ହୋଇ ରହିଛି। ଆଜି ସନ୍ଧ୍ୟାରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଏଥିରେ ୯୪ଟି ଆସନ ପାଇଁ ଭୋଟରମାନେ ୧,୪୬୪ ଜଣ ଆଶାୟୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ମୁଖ୍ୟତଃ ଏହି ପର୍ଯ୍ୟାୟ ବିଜେପି ଓ ଜେଡିୟୁ ପରି ଅଂଶୀଦାର ଥିବା ଏନ୍ଡିଏ ଏବଂ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ନେତୃତ୍ବାଧୀନ ମହାମେଣ୍ଟ ପାଇଁ ନିର୍ଣ୍ଣାୟକ ହେବ। ଏହା ମଧ୍ୟ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବ। ଗତକାଲି ତେଜସ୍ବୀ ଗୋଟିଏ ଦିନରେ ୧୯ଟି ରୢାଲି କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ତାଙ୍କ ପିତା ଲାଲୁ ପ୍ରସାଦ ଦିନକରେ ୧୭ଟି ରୢାଲି କରି ରେକର୍ଡ କରିଥିଲେ।
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସାମିଲ ହୋଇଥିବା କେନ୍ଦ୍ରୀୟ ବିହାର, ମିଥିଳାଞ୍ଚଳ, ମୁଙ୍ଗେର, ସାରଣ ଏବଂ ତିରହଟ ପରି ଅଞ୍ଚଳର ଭୋଟରଙ୍କ ନିଷ୍ପତ୍ତି ଦୁଇଟି କାରଣ ପାଇଁ ଗୁରୁତ୍ବ ବହନ କରୁଛି। ପ୍ରଥମତଃ ଏହି ଅଞ୍ଚଳରେ ରହିଥିବା ସଂଖ୍ୟାଧିକ ଉଚ୍ଚ ଜାତି ବର୍ଗ ଓ ଆର୍ଥିକ ଅନଗ୍ରସର ବର୍ଗ(ଇବିସି)ର ଭୋଟରଙ୍କ ପାଇଁ ଏହା ଏନ୍ଡିଏର ଗଡ଼ ଭାବେ ବିବେଚିତ। ମିଥିଳାଞ୍ଚଳ ଓ ତିରହଟ ଇଲାକାରେ ବ୍ରାହ୍ମଣ ଓ ସାରଣରେ ରାଜପୁତମାନେ ଦୀର୍ଘ ବର୍ଷ ଧରି ସ୍ଥାନୀୟ ରାଜନୀତିକୁ ନିଜ ନିୟନ୍ତ୍ରଣରେ ରଖି ଆସିଛନ୍ତି। ସେହିପରି ଗଙ୍ଗାନଦୀ ଉପକୂଳବର୍ତ୍ତୀ ଭାଗଲପୁର, ଖଗାରିଆ, ମୁଙ୍ଗେର ଓ ବୈଶାଳୀ ଆଦି ଜିଲ୍ଲା ସମେତ ଦରଭଙ୍ଗା ଓ ମଧୁବାଣୀ ଆଦି ଜିଲ୍ଲାରେ ବହୁଳ ସଂଖ୍ୟାରେ ନିଶାଦ ସମ୍ପ୍ରଦାୟ(ମଲ୍ଲ-ଇବିସି)ର ଭୋଟର ରହିଛନ୍ତି। ଏନ୍ଡିଏର ଅଂଶୀଦାର ଭାବେ ଭିଆଇପି ଏଠାରେ ୧୧ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛି। ଭିଆଇପିର ପ୍ରଦର୍ଶନ ଏବଂ ନିଶାଦ ଭୋଟକୁ ଏନ୍ଡିଏରେ ସାମିଲ କରିବା ହିଁ ଏନ୍ଡିଏର ପଲା ଭାରୀ କରିବା ସହ ଭିଆଇପିର ରାଜନୈତିକ ଅଭିଯାନକୁ ଅଗ୍ରସର କରାଇବ। ଅପରପକ୍ଷେ, ଏହି ଅଞ୍ଚଳର ମୁସଲିମ୍ ଓ ଯାଦବ ସମ୍ପ୍ରଦାୟଙ୍କ ଭୋଟକୁ ଲାଲୁ ଯାଦବ ଦୀର୍ଘ ବର୍ଷ ଧରି ଉପଭୋଗ କରି ଆସୁଛନ୍ତି। ଗତ ନିର୍ବାଚନରେ ଏଠାରୁ କଂଗ୍ରେସ-ଜେଡିୟୁ-ଆର୍ଜେଡି ମିଶି ୯୪ରୁ ୭୦ ଆସନ ଦଖଲ କରିଥିଲେ। ସୁତରାଂ ଏଥର ଆର୍ଜେଡିର ମୁସଲିମ୍-ଯାଦବ ପକେଟ୍ ଭୋଟ ସହ ଅନ୍ୟ କିଛି ଭୋଟ ମିଶିଗଲେ ତାହା ଆର୍ଜେଡି ପାଇଁ ୧୫ ବର୍ଷ ପରେ ପୁଣି ଶାସନ କ୍ଷମତା ଫେରାଇ ଆଣିବାରେ ସହାୟକ ହେବ।
ଦ୍ବିତୀୟତଃ ଏହି ସବୁ ଅଞ୍ଚଳରେ ସଂଖ୍ୟାଧିକ ପ୍ରବାସୀ ଶ୍ରମିକ ରହିଛନ୍ତି। ଏବେ ବି ସଂଖ୍ୟାଧିକ ଶ୍ରମିକ ଭିଟାମାଟି ଛାଡ଼ି ବାହାରକୁ ଯିବାକୁ ପସନ୍ଦ ନକରି କାମ ଧନ୍ଦା ଅଭାବରେ ନିଜ ଘରେ ପଡ଼ି ରହିଛନ୍ତି। କାମଧନ୍ଦା ଅଭାବ ଓ ବେକାରି ଯୋଗୁଁ ଏହି ଶ୍ରମିକମାନଙ୍କ ମନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତି ଅସନ୍ତୋଷର ବହ୍ନି ଜଳୁଥିବା ବେଳେ ସେମାନଙ୍କ ଏହି କ୍ରୋଧ ଯଦି ସେମାନଙ୍କ ମତଦାନରେ ପ୍ରତିଧ୍ବନିତ ହୁଏ ତେବେ ସମୀକରଣ ବଦଳିଯିବ। ସୁତରାଂ ଏହି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହିଁ ନୀତୀଶ କୁମାର ଓ ତେଜସ୍ବୀଙ୍କ ପାଇଁ କଠୋର ପରୀକ୍ଷା ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/6f54h6sf47h98sf798sfhfhfhfh.jpg)
