ଦ୍ବିତୀୟ ଲହରରେ ଶୀଘ୍ର ସୁସ୍ଥ ହେଉଛନ୍ତି ରୋଗୀ, ଟିକାକରଣ ୧୧ କୋଟି ଟପିଲା

ନୂଆଦିଲ୍ଲୀ : ଦ୍ବିତୀୟ ଲହରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି ଏବଂ ମୃତ୍ୟୁ ମଧ୍ୟ ବଢ଼ୁଛି। କିନ୍ତୁ ଏହା ସତ୍ତ୍ବେ ଏକ ଆଶ୍ବସ୍ତିର ବିଷୟ ହେଉଛି ଦ୍ବିତୀୟ ଲହରରେ କରୋନା ‌ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ, ପ୍ରଥମ ଲହରରେ ଜଣେ କରୋନା ରୋଗୀ ସୁସ୍ଥ ହେବାପାଇଁ ଯେତିକି ସମୟ ଲାଗୁଥିଲା ଏବେ ତାହା କମିଯାଇଛି। ପ୍ରଥମ ଲହରରେ ଜଣେ ବ୍ୟକ୍ତିଙ୍କୁ କରୋନାରୁ ସୁସ୍ଥ ହେବାପାଇଁ ହାରାହାରି ୧୧ ଦିନ ଲାଗୁଥିଲା କିନ୍ତୁ ଦ୍ବିତୀୟ ଲହରରେ ଏହି ସମୟ ୯ ଦିନକୁ ଖସିଆସିଛି। ରାଜ୍ୟୱାରି ଆକଳନରୁ ଜଣାପଡ଼ିଛି ଯେ, ପଂଜାବରେ ଆରୋଗ୍ୟ ସମୟ ୯ ଦିନ ଥିବା ବେଳେ ପଶ୍ଚିମବଙ୍ଗରେ ୮, ଓଡ଼ିଶାରେ ୮ ଏବଂ ଦିଲ୍ଲୀରେ ଏହା ୭ରୁ ୩ ଦିନକୁ କମିଯାଇଛି। ବିହାରରେ ଆରୋଗ୍ୟ ହେବା ସମୟ ୯ରୁ ୭ ଦିନକୁ କମି ଯାଇଥିବା ବେଳେ ଗୁଜରାଟରେ ୧୨ରୁ ୬ ଦିନକୁ କମିଯାଇଛି। ମହାରାଷ୍ଟ୍ରରେ କରୋନାରୁ ସୁସ୍ଥ ହେବା ସମୟ ୯ରୁ ୭ ଦିନକୁ କମିଯାଇଛି ଏବଂ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଟିକାକରଣ ମଧ୍ୟ ଏକ ବଡ଼ ଆଶ୍ବସ୍ତି ଆଣିଛି।
ଅନ୍ୟ ଦେଶ ତୁଳନାରେ ଭାରତରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ କମ୍‌ ରହିଛି। ତେବେ ପୀଡ଼ିତମାନେ ଅତି ଗୁରୁତର ହେଲା ପରେ ଡାକ୍ତରଖାନା ଆସୁଥିବାରୁ ସମସ୍ୟା ଜଟିଳ ହେଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଦେଶରେ ବର୍ତ୍ତମାନ ନୂତନ ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟହ ବଢ଼ି ଚାଲିଥିବାରୁ ଆଗାମୀ ଦିନରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଭାରତର ଆରୋଗ୍ୟ ହାରକୁ ନେଇ କେତେକ ବିଦେଶୀ ସଂସ୍ଥା ପ୍ରଶ୍ନ ଉଠାଉଥିଲେ ମଧ୍ୟ ଦେଶରେ କରୋନା ବିରୋଧରେ ରୋଗ ପ୍ରତିରୋଧକତା ହିଁ ଲୋକଙ୍କୁ କରୋନାରୁ ସୁସ୍ଥ କରୁଛି ଏବଂ ଆମେରିକା, ବ୍ରାଜିଲ୍‌, ବ୍ରିଟେନ୍‌ ସମତେ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ମୃତ୍ୟୁ ହାର ଯଥେଷ୍ଟ କମ୍‌ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ନୂଆଦିଲ୍ଲୀ : ଦେଶରେ ଆଜି ମୋଟ୍‌ କରୋନା ଟିକାକରଣ ୧୧ କୋଟି ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୮୯ ଦିନ ମଧ୍ୟରେ ଦେଶରେ ୧୧,୧୧,୭୯,୫୭୮ ଟିକା ଡୋଜ୍‌ ଦିଆସରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ଟିକାକରଣ କ୍ଷେତ୍ରରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୯.୬୭ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ରାଜସ୍ଥାନରେ ୯.୦୭ ପ୍ରତିଶତ, ଉତ୍ତରପ୍ରଦେଶରେ ୮.୭୪ ପ୍ରତିଶତ, ଗୁଜରାଟରେ ୮.୭୩ ପ୍ରତିଶତ, ପଶ୍ଚିମବଙ୍ଗରେ ୭.୫୧ ପ୍ରତିଶତ, ମଧ୍ୟପ୍ରଦେଶରେ ୫.୯୦ ପ୍ରତିଶତ, କର୍ଣ୍ଣାଟକରେ ୫.୮୦ ପ୍ରତିଶତ ଏବଂ କେରଳରେ ୪,୭୪ ପ୍ରତିଶତ ଟିକାକରଣ ହୋଇଛି। ଅନ୍ୟପକ୍ଷେ ରାଜ୍ୟମାନେ ଟିକା ଅଭାବ ପାଇଁ ଟିକାକରଣରେ ବାଧା ଉପୁଜିଥିବା ଅଭି‌ଯୋଗ କରିଥିବା ବେଳେ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ଟିକା ଯୋଗାଣରେ କୌଣସି ସମସ୍ୟା ନାହିଁ ବରଂ ରାଜ୍ୟମାନଙ୍କ ଦ୍ବାରା ଉତ୍ତମ ଯୋଜନାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର