ଅହମଦାବାଦ: ଗୁଜରାଟରେ କୋଭିହ୍-୧୯ ମୃତ୍ୟୁହାର କମୁ ନଥିବା ବେଳେ ଅନ୍ୟ ଭାରତୀୟ ରାଜ୍ୟଗୁଡ଼ିକ ତୁଳନାରେ ଗୁଜରାଟର ସଂକ୍ରମଣ ହାର ମଧ୍ୟ ଚିନ୍ତାଜନକ ରହିଛି। ଚୀନ୍ର ଉହାନ ନଗରୀରେ ମୃତ୍ୟୁର ତାଣ୍ଡବ ରଚିଥିବା ଇଂଲିଶ୍ ଅକ୍ଷର ‘ଏଲ୍’-ଆକାରର କରୋନାଭୂତାଣୁ ଗୁଜରାଟରେ ଦେଖାଯାଉଛି ବୋଲି ''ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ ସେଣ୍ଟର''ର ନିର୍ଦେଶକ ସି.ଜି. ଯୋଶୀ ଗଣମାଧ୍ୟମକୁ କହିଛନ୍ତି। କୋଭିଡ୍-୧୯ ରୋଗୀମାନଙ୍କ ମଧ୍ୟରେ ଏଲ୍-ଟାଇପ୍ର ଆକୃତି ବିଶିଷ୍ଟ ଭୂତାଣୁ ବେଶି ମୃତ୍ୟୁର କାରଣ ହେଉଛି। ଯାହାକି ଉହାନ୍ରେ ଦେଖାଦେଇଥିଲା।
ଗୁଜରାଟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ସଚିବ ଜୟନ୍ତୀ ରବି ଜଣାଇଛନ୍ତି ଯେ କେରଳ ଭଳି ରାଜ୍ୟ ତୁଳନାରେ ଗୁଜରାଟରେ ମୃତ୍ୟୁହାର ଅଧିକ। ତେଣେ ସଂକ୍ରାମକ ରୋଗ ବିଶେଷଜ୍ଞଡାକ୍ତର ଅତୁଲ ପଟେଲ କହିଛନ୍ତି ଯେ ଏହା ସେହି ଉହାନ୍ ଧରଣର ଏଲ୍ ଆକୃତିର କରୋନାଭୂତାଣୁ କି ନୁହେଁ, ତାହାକୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ସୂଚନାଯୋଗ୍ୟ ଯେ ଏଲ୍ ଭଳି ଇଂଲିଶ୍ ଅକ୍ଷର ‘ଏସ୍’ ଆକାରର କମ୍ ଘାତକ ପ୍ରକାରର ଭୂତାଣୁ ସାରା ବିଶ୍ୱରେ ବ୍ୟାପିଯାଇଛି। ତେଣୁ ଅଧିକ ସାଂଘାତିକ ଲକ୍ଷଣ ଓ ଅବସ୍ଥାରେ ଥିବା ରୋଗୀମାନଙ୍କ ଠାରୁ ସେଇ ପ୍ରକାରର ଭୂତାଣୁ ନମୁନା ପରୀକ୍ଷା କରାଯାଉଛି। କାରଣ ଦେଶରେ କୋଭିଡ୍ ରୋଗୀମାନଙ୍କ ମୃତ୍ୟୁହାର ୩.୧% ଥିବା ବେଳେ ଗୁଜରାଟରେ ଏହା ୪.୫% ରହିଛି। ବିଶ୍ଳେଷଣରୁ ଜଣାପଡିଛି ଯେ ୮୦% ରୋଗୀ ହେଉଛି ଅତ୍ୟଧିକ ବିପଦଯୁକ୍ତ ବର୍ଗର। ସେମାନଙ୍କ ମଧ୍ୟରେ ୧୦ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ବୟସର ରୋଗୀ ଅଛନ୍ତି । ଡାକ୍ତର ପଟେଲ କହିଛନ୍ତି ସଂପୃକ୍ତ ଭୂତାଣୁର ଆକାରର ଭିନ୍ନତା ହିଁ ମରଣଶୀଳତା ଓ ସାଂଘାତିକତାର କାରଣ। ଆଉ ଏହି ‘ଏଲ୍’-ଆକାର ଭୂତାଣୁ ଉହାନ୍, ଇଟାଲି, ସ୍ପେନ୍ ଓ ନ୍ୟୁୟର୍କରେ ରୋଗ ସଂକ୍ରମଣକୁ ବହୁଗୁଣିତ କରିଛି।