ଚୁଟି କାଟୁ କାଟୁ ମୁଣ୍ଡ ଜଳିଗଲା

ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ଦେଖେଇବା ପାଇଁ ଆଜିର ଯୁବବର୍ଗ ଭାରୀ ତତ୍ପର। ଏପରିକି ନିଜକୁ ସୁନ୍ଦର(ବା ବିକୃତ) କରିବା ଲାଗି ତ୍ବଚା ଉପରେ କିଂଭୂତାକାର ଟାଟୁ କରିବା ଠାରୁ ଆରମ୍ଭ କରି ମୁଣ୍ଡର କେଶକୁ ବିଚିତ୍ର ରଙ୍ଗ-ଢଙ୍ଗରେ ବିନ୍ୟାସ କରିବା ମଧ୍ୟ ଏକ ଫେସନ ପାଲଟିଛି। ତେବେ ବିଛା ମନ୍ତ୍ର ନଜାଣି ସାପ ଲାଙ୍ଗୁଡ଼ରେ ହାତ ମାରିବାର ପରିଣାମ ଦେଖିବାକୁ ମିଳିଛି ଗୁଜରାଟର ବାଲସାଡ଼ ଜିଲ୍ଲା ଅନ୍ତର୍ଗତ ବାପି ସହରସ୍ଥିତ ଏକ ସେଲୁନ୍‌ରେ। ଜଣେ ଚୁଟି କଟାଳିର ଅସାବଧାନତା ଯୋଗୁଁ ‘ଅଗ୍ନି କେଶବିନ୍ୟାସ’ (ଚୁଟିରେ ନିଆଁ ଲଗାଇ ସଜାଇବା) କରିବାକୁ ଆସିଥିବା ଜଣେ ଗରାଖଙ୍କ ଶରୀରରେ ନିଆଁ ଲାଗିଯାଇଛି। ଏହି ଘଟଣାର ଭିଡିଓ ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ ହେବାରେ ଲାଗିଛି।

ସୂଚନାନୁଯାୟୀ, ଗତ ବୁଧବାର ‘ବଣ୍ଟି ସେଲୁନ’କୁ ବାପି ସହର ନିବାସୀ ଅରିଫ ଶାହ ନାମକ ଜଣେ ଯୁବକ ନିଜର ଚୁଟି କାଟିବା ପାଇଁ ଆସିଥିଲେ। ତେବେ ସେ ସେଲୁନବାଲାର ପରାମର୍ଶ କ୍ରମେ ଚୁଟିରେ ନିଆଁ ଲଗାଇ ଅତ୍ୟାଧୁନିକ ଶୈଳୀର ‘ଫାୟାର କଟ୍‌’ କରିବାକୁ ରାଜି ହୋଇଥିଲେ। ଏହାପରେ ସେଲୁନ୍‌ବାଲା ତାଙ୍କ ମୁଣ୍ଡରେ ଆବଶ୍ୟକ ଦହନଶୀଳ ରାସାୟନିକ ପଦାର୍ଥ ବୋଳି ଅଗ୍ନି ସଂଯୋଗ କରିଥିଲେ। ଅରିଫ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ସକ୍ରିୟ ଥିବାରୁ ତାଙ୍କର ଏହି ଅଭିନବ ଚୁଟିକଟା ଶୈଳୀକୁ ସେଥିରେ ଅପ୍‌ଲୋଡ୍‌ କରିବା ଉଦ୍ଦେଶ୍ୟରେ ଏହି ପ୍ରକ୍ରିୟା ବେଳର ପ୍ରତ୍ୟକ୍ଷ ଦେଖା ଭିଡିଓକୁ ତାଙ୍କର ଜଣେ ସାଙ୍ଗ ଉତ୍ତୋଳନ କରି ଚାଲିଥିଲେ। ଏତିକିବେଳେ ଅରିଫଙ୍କର ସମଗ୍ର ମୁଣ୍ଡ ଜଳି ଉଠିଥିବା ବେଳେ ସେଲୁନବାଲା ଉକ୍ତ ନିଆଁକୁ ନିଜ ଆୟତ୍ତରେ ରଖିପାରିନଥିଲେ। ଫଳରେ ଅରିଫଙ୍କର ମୁଣ୍ଡ, ମୁହଁ, ବେକ ଓ ଛାତିରେ ଗଭୀର କ୍ଷତ ହୋଇଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସୁରାଟ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିଅଁ ଗଢୁ ଗଢୁ ବାନର ପରି ନିଜର ଅଭିନବ କେଶବିନ୍ୟାସ କରିବାକୁ ଯାଇ ଗୁରୁତର ଆହତ ହୋଇଥିବା ଅରିଫଙ୍କ ଭିଡିଓ ଏବେ ରୋଚକ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର