ଲଣ୍ଡନ: ବ୍ରିଟେନ୍ରେ କରୋନାର ଡେଲ୍ଟା ଓ ଓମିକ୍ରନ ପ୍ରଜାତି ଯୋଗୁଁ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବ୍ରିଟେନ୍ରେ ଆଜି ରେକର୍ଡ ସଂକ୍ରମଣ ହୋଇଛି। ଗତ ୨୪ ଘଣ୍ଟାରେ ବ୍ରିଟେନ୍ରେ ୯୩,୦୪୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବ୍ରିଟେନର ମୋଟ୍ ସଂକ୍ରମଣ ମାମଲା ୧୧,୧୯୦,୩୫୪ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଗୁରୁବାର ବ୍ରିଟେନରେ ୧୬୯୧ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୦ ହଜାର ଅତିକ୍ରମ କରିବା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ବିସ୍ମିତ କରିଛି। ଦେଶରେ ମୋଟ୍ ଓମିକ୍ରନ୍ ମାମଲା ୨୫ ହଜାର ଛୁଇଁଛି। ତେବେ ବ୍ରିଟେନରେ ଗତକାଲିର କରୋନା ମୃତ୍ୟୁ ୧୧୧ ରହିଥିଲା ଏବଂ ଏଯାବତ ମୋଟ୍ ୧,୪୭,୦୪୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ପ୍ରାୟ ୮ ହଜାର କୋଭିଡ ରୋଗୀ ଏବେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କହିଛନ୍ତି, ଓମିକ୍ରନ୍ ଖୁବ୍ ଗୁରୁତର ବିପଦ ସୃଷ୍ଟି କରିପାରେ। ଆଗକୁ ବିପଜ୍ଜନକ ଲହର ଆସିବା ଆଶଙ୍କା କରି ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଜନସାଧାରଣ ନିଜ ନିଜ ସ୍ତରରେ ସତର୍କ ରହିବା ପାଇଁ ନିବେଦନ କରାଯାଇଛି। ଲଣ୍ଡନ୍ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡିସିନ୍ର ବୈଜ୍ଞାନିକମାନେ କହିଛନ୍ତି, ଯଦି ଜରୁରୀ ଭିତ୍ତିରେ କଠୋର ପଦକ୍ଷେପ ଗ୍ରହଣ ନହୁଏ ତେବେ ଆସନ୍ତା ୫ ମାସ ମଧ୍ୟରେ କରୋନା ମୃତ୍ୟୁ ୭୫ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ। ଲଣ୍ଡନର ସବୁ ଅଂଚଳରେ ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପୁଛି। ଆର୍ ଭାଲ୍ୟୁ ୧.୦ ଉପରେ ରହୁଥିବାରୁ ଆଗକୁ ଲକ୍ଡାଉନ୍ ଭଳି କଟକଣା ଲାଗୁ ପାଇଁ ସରକାର ଯୋଜନା କରୁଛନ୍ତି।
ଜୁରିଚ: ଏବେ କରୋନାର ଓମିକ୍ରନ୍ ପ୍ରଜାତି ୯୧ଟି ରାଷ୍ଟ୍ରକୁ ବ୍ୟାପିଲାଣି। ୩୭ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ଅତି ଦ୍ରୁତ ସଂକ୍ରମଣ ଘଟାଇବାରେ ଲାଗିଛି। ଗୋଷ୍ଠୀ ସଂକ୍ରମଣ କ୍ଷେତ୍ରରେ ଓମିକ୍ରନ୍ ମାମଲା ଦେଢ଼ରୁ ୩ ଦିନରେ ଦ୍ବିଗୁଣା ହେଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛନ୍ତି। ଗୋଷ୍ଠୀ ରୋଗ ପ୍ରତିରୋଧକତା ଅଧିକ ଥିବା ରାଷ୍ଟ୍ରରେ ମଧ୍ୟ ଓମିକ୍ରନ୍ ଅତି ଦ୍ରୁତ ଗତିରେ ମାଡ଼ି ଚାଲିଛି। ତେବେ ଭାଇରସ୍ ନିକଟରେ ରୋଗ ପ୍ରତିରୋଧକତାରୁ ଖସି ଯିବାର କ୍ଷମତା ଥିବାରୁ ଏଭଳି ହେଉଛି କି ନା’ ତାହା ସ୍ପଷ୍ଟ ଜଣାପଡ଼ିନି। ଓମିକ୍ରନ୍ ଡେଲ୍ଟାଠାରୁ ଅଧିକ କ୍ଷିପ୍ର ଗତିରେ ମାଡ଼ି ଚାଲିଛି ବୋଲି ‘ହୁ’ କହିଛି। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ୍କୁ ଗତ ନଭେମ୍ବର ୨୬ ତାରିଖରେ ‘ହୁ’ ଅତ୍ୟନ୍ତ ଚିନ୍ତାଜନକ ପ୍ରଜାତି ବୋଲି ଘୋଷଣା କରିଥିଲା। ତେବେ ଓମିକ୍ରନ୍ କେତେ ଭୟଙ୍କର ତାହା ଜାଣିବାପାଇଁ ଅଧିକ ଅଧ୍ୟୟନ ଜରୁରୀ ବୋଲି ହୁ କହିଛି। ଏନେଇ ଖୁବ୍ କମ୍ ତଥ୍ୟ ରହିଛି। ଏହାର ଭୟବହତା ସଂକ୍ରାନ୍ତରେ ଜାଣିବାପାଇଁ ଆହୁରି ଅଧିକ ତଥ୍ୟ ଆବଶ୍ୟକ ଏବଂ ଏଥିପାଇଁ ନିରନ୍ତର ଗବେଷଣା ଜାରି ରହିଛି । ବ୍ରିଟେନରେ ପ୍ରତି ଦିନ ଓମିକ୍ରନ୍ ମାମଲା ଦ୍ବିଗୁଣା ହେଉଛି। ଦକ୍ଷିଣ ଆଫ୍ରିକାଠାରୁ ଏବେ ବ୍ରିଟେନ୍ରେ ଓମିକ୍ରନ୍ ସଂକ୍ରମଣ ଅଧିକ ବଢ଼ିବାରେ ଲାଗିଛି।