ଆମେରିକାରେ ମାସ୍କବିରୋଧୀ ପ୍ରଚାର, ମାସ୍କ କି ଅନ୍ତର୍ବସ୍ତ୍ର କିଛି ପିନ୍ଧିବୁନି

ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡ଼ାରେ ଦଳେ ମାସ୍କବିରୋଧୀଙ୍କ ଅଭିନବ ପ୍ରଚାର ଏବଂ ମାସ୍କ ନ ପିନ୍ଧିବା ପାଇଁ ସେମାନଙ୍କ ଅଯୌକ୍ତିକ ଯୁକ୍ତି ଏବେ ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ପାମ୍ ବିଚ୍ କାଉଣ୍ଟି କମିଟି ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଏପରି ମାସ୍କ ପିନ୍ଧି ନିଜ ଶରୀରର ଶ୍ବାସକ୍ରିୟା ପ୍ରଣାଳୀରେ ପ୍ରତିବନ୍ଧକ ସାଜିବା ଠିକ୍‌ ନୁହେଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏପରିକି ଉକ୍ତ ବୈଠକରେ ଉପସ୍ଥିତ ଥିବା ଚିକିତ୍ସା ବିଶେଷଜ୍ଞ ଓ ଡାକ୍ତରମାନଙ୍କୁ କିଛି ମାସ୍କ ବିରୋଧୀ ଟଣାଓଟରା କରି ପରିହାସ କରିଛନ୍ତି। ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେଇ ଏହି ଚିକିତ୍ସାବିତ୍‌ମାନେ ମାନବିକ ଅଧିକାର ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ଗିରଫ କରିବାକୁ ମଧ୍ୟ ବୈଠକରେ ଦାବି ହୋଇଥିଲା।

ଏ ପରିପ୍ରେକ୍ଷୀରେ କିଛି ମାସ୍କ ବିରୋଧୀ ବକ୍ତା ‘ମୁଁ ମାସ୍କ ପିନ୍ଧିବିନି କି ସେହି କାରଣରୁ କୌଣସି ଅନ୍ତର୍ବସ୍ତ୍ର ବି ପିନ୍ଧିବିନି’ ବୋଲି ଘୋଷଣା କରିବା ମାତ୍ରେ ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ସେହିପରି ଏହି ମାସ୍କ ସପକ୍ଷବାଦୀମାନେ ଈଶ୍ବରଙ୍କ ଆଶ୍ଚର୍ଯ୍ୟଜନକ ଶ୍ବାସକ୍ରିୟା ପ୍ରଣାଳୀକୁ ଅଣଦେଖା କରିବାକୁ ଚାହୁଛନ୍ତି ବୋଲି ଜଣେ ବୃଦ୍ଧା କ୍ଷୋଭ ପ୍ରକାଶ କରି କହିଥିଲେ। ମନୁଷ୍ୟର ପ୍ରାକୃତିକ ଶ୍ବାସକ୍ରିୟା ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାର ଅଧିକାର ତୁମକୁ କିଏ ଦେଇଛି ବୋଲି କିଛି ମାସ୍କ ବିରୋଧୀ ମଧ୍ୟ ପ୍ରଶ୍ନ କରିଥିଲେ। ସୂଚନା ଥାଉ କି, ବିଶ୍ବରେ ସର୍ବାଧିକ କରୋନା ଆକ୍ରାନ୍ତ ଓ କୋଭିଡ୍-୧୯ ମୃତକଙ୍କ ସଂଖ୍ୟା ଆମେରିକାରେ ହିଁ ଦେଖିବାକୁ ମିଳିଥିବା ବେଳେ ଆଖପାଖରେ କରୋନାଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ନିୟମିତ ମାସ୍କ ପିନ୍ଧିବା ଅନ୍ୟତମ ଉପାୟ ବୋଲି ଚିକିତ୍ସାବିଜ୍ଞାନୀମାନେ ପରାମର୍ଶ କରିଛନ୍ତି।

ସମ୍ବନ୍ଧିତ ଖବର