ୱାସିଂଟନ୍‌: କୋଭିଡ୍‌ ମହାମାରୀ ଯୋଗୁଁ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଆମେରିକାରେ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ଟପିଯାଇଛି। ଅନେକ ରାଷ୍ଟ୍ରର ମୋଟ୍‌ ଜନସଂଖ୍ୟାଠାରୁ ମଧ୍ୟ ଆମେରିକାରେ କରୋନା ମୃତ୍ୟୁ ଅଧିକ ରହିଛି। ଆମେରିକାରେ ଦ୍ରୁତ ଟିକାକରଣ ସତ୍ତ୍ବେ ୨୦୨୧ରେ ୪୫୦,୦୦୦ କରୋନା ମୃତ୍ୟୁ ହୋଇଛି। ତେବେ ଟିକା ନେଇନଥିବା ଅଧିକାଂଶ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି। ତଥ୍ୟ ଅନୁଯାୟୀ, ଟିକା‌ ନେଇନଥିଲେ କୋଭିଡ୍‌ ମୃତ୍ୟୁ ହେବାର ବିପଦ ୧୪ ଗୁଣା ଅଧିକ ରହିଛି। ଡେଲ୍‌ଟା ପ୍ରଜାତି ଯୋଗୁଁ କରୋନା ଚତୁର୍ଥ ଲହରରେ ଟିକାକରଣ ତ୍ବରାନ୍ବିତ ହୋଇଥିଲା। ଦେଶର ମୋଟ୍‌ ୩୩୨ ନିୟୁତ ଜନସଂଖ୍ୟା ମଧ୍ୟରୁ ୬୦ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଟିକା ଦେଇଛନ୍ତି। ଆମେରିକାରେ ଏବେ କରୋନାର ପଞ୍ଚମ ଲହର ଚାଲିଛି। ଗତ ନଭେମ୍ବରରେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ପ୍ରଜାତି ଆମେରିକାରେ ମଧ୍ୟ ପହଞ୍ଚି ସାରିଛି। ଆମେରିକାରେ ଏବେ ଚିହ୍ନଟ ହେଉଥିବା ମୋଟ୍‌ ମାମଲାର ୩ ପ୍ରତିଶତ ଓମିକ୍ରନ୍‌। ଆମେରିକାରେ ମଧ୍ୟ ଦ୍ରୁତ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ସ୍ବାସ୍ଥ୍ୟ ଅଧିକାରୀମାନେ ୧୬ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ବୁଷ୍ଟର ଡୋଜ୍‌ ନେବାପାଇଁ ଅନୁରୋଧ କରିଛନ୍ତି। ଆମେରିକାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୧,୧୩୬,୪୪୨ ଏବଂ କରୋନା ମୃତ୍ୟୁସଂଖ୍ୟା ୮୨୧,୩୩୫ ରହିଛି। ଅନ୍ୟପକ୍ଷରେ ବ୍ରିଟେନ୍‌ରେ ଆଜି ଦୈନିକ ସଂକ୍ରମଣ ନୂଆ ରେକର୍ଡ କରିଛି। ଆଜି ଦୈନିକ ସଂକ୍ରମଣ ୭୮ ହଜାରରୁ ଅଧିକ ରହିଥିବାରୁ ଆତଙ୍କ ସୃଷ୍ଟି ହୋଇଛି ଏବଂ ଦେଶବ୍ୟାପୀ କୋଭିଡ୍‌ କଟକଣା କଡ଼ାକଡ଼ି କରାଯାଇଛି।