ନୂଆଦିଲ୍ଲୀ : ଲଖିମପୁର ଖେରି ହିଂସା ଘଟଣାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଉଠିଛି। ଦେଶବ୍ୟାପୀ ବିଭିନ୍ନ ବିରୋଧୀ ଦଳ ନେତାମାନେ ଏହି ଘଟଣାର କଡ଼ା ନିନ୍ଦା କରିଛନ୍ତି ଏବଂ ଉଭୟ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି। ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଲଖିମପୁର ଖେରି ହିଂସା ଘଟଣାକୁ ନେଇ ବିରୋଧୀ ଦଳ ନେତାମାନେ ବିଜେପିକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ମୋଦୀ ଉତ୍ତରପ୍ରଦେଶରେ ଥିଲେ ମଧ୍ୟ ଲଖିମପୁର ଖେରି ଯାଇନାହାନ୍ତି। କୃଷକଙ୍କ ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ ହୋଇଛି ବୋଲି ରାହୁଲ କହିଛନ୍ତି।

Advertisment

ମହା ବିକାଶ ଅଘାଡ଼ି ତଥା ମହାରାଷ୍ଟ୍ରରେ ଏନ୍‌ସିପି-କଂଗ୍ରେସ-ଶିବସେନା ମେଣ୍ଟ ସରକାର ଲଖିମପୁର ଖେରି ହିଂସା ଘଟଣାକୁ ବିରୋଧ କରି ଆସନ୍ତା ୧୧ ତାରିଖରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି। ମହାରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ପାଟିଲ ଏହି ସୂଚନା ଦେଇଛନ୍ତି। ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ବିଜେପି ସରକାର ବ୍ରିଟିଶ ସରକାରଙ୍କ ଅପେକ୍ଷା ଅଧିକ ଅତ୍ୟାଚାର କରୁଛି। ସେହିପରି ପଂଜାବ କଂଗ୍ରେସ ପକ୍ଷରୁ ମଧ୍ୟ ଲଖିମପୁର ଖେରି ହିଂସା ଘଟଣାକୁ ଜୋରଦାର ବିରୋଧ କରାଯାଇଛି। କୃଷକଙ୍କ ହତ୍ୟା ଘଟଣାକୁ ବିରୋଧ କରି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ନେତୃତ୍ବରେ ପଂଜାବ କଂଗ୍ରେସ ଆସନ୍ତାକାଲି ଉତ୍ତରପ୍ରଦେଶର ଲଖିମପୁରକୁ ଆନ୍ଦୋଳନ ଯାତ୍ରା କରିବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଲଖିମପୁର ଖେରି ହିଂସା‌ ମାମଲାରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ କହିଛନ୍ତି। ଲଖିମପୁର ଖେରିରେ ଉତ୍ତେଜନା ଜାରି ରହିଥିବାରୁ ଧାରା ୧୪୪ ଜାରି ହୋଇଛି ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।