ନୂଆଦିଲ୍ଲୀ: ଆଗାମୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ତୌକ୍ତେ ଅଧିକ ଭୟଙ୍କର ରୂପ ଧାରଣ କରିବ ଏବଂ ମଙ୍ଗଳବାର ସକାଳେ ଏହା ଗୁଜରାଟର ଭାବନଗର ଜିଲ୍ଲା ଅଧୀନ ପୋରବନ୍ଦର ଏବଂ ମହୁଭା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରବିବାର ବୁଲେଟିନରେ କୁହାଯାଇଛି। ତେବେ ବାତ୍ୟା ସ୍ଥଳଭାଗର ଯେତେ ନିକଟତର ହେଉଛି ବର୍ଷା ଏବଂ ପବନର ବେଗ ସେତେ ଅଧିକ ହେବାରେ ଲାଗିଛି। ବାତ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ଜୀବନ ଗଲାଣି। ଏମାନଙ୍କ ମଧ୍ୟରୁ କର୍ଣ୍ଣାଟକରେ ୪ ଜଣ ଏବଂ କେରଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଗୋଆରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। କେରଳରେ ପ୍ରବଳ ବର୍ଷା ହେବା ଫଳରେ ଅନେକ ଘର ଭାଙ୍ଗିରୁଜି ଯିବା ସହିତ ରାସ୍ତାରେ ଗଛ ଉପୁଡ଼ି ପଡ଼ିଛି।
ଗୃହମନ୍ତ୍ରୀ ଅମିତ ଶାହ ଆଜି ମହାରାଷ୍ଟ୍ର, ଗୁଜରାଟ, ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଶାସିତ ଅଞ୍ଚଳ ଡାମନ ଆଣ୍ଡ ଡିୟୁ ଏବଂ ଦାଦ୍ରା ନଗର ହାବେଳିର ପ୍ରଶାସକଙ୍କ ସହିତ ବାତ୍ୟା ପ୍ରସ୍ତୁତି ସଂପର୍କରେ କଥା ହୋଇଛନ୍ତି। ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଅବସ୍ଥିତ ଡାକ୍ତରଖାନା, ଟିକା କେନ୍ଦ୍ର ଏବଂ ଅନ୍ୟ ମେଡିକାଲରେ ପାୱାର ବ୍ୟାକଅପ୍ ବ୍ୟବସ୍ଥା କରିବାକୁ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗୃହ ମନ୍ତ୍ରାଳୟ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ରାଜ୍ୟଗୁଡ଼ିକ ଯେକୌଣସି ସମୟରେ ଏହା ମାଧ୍ୟମରେ ସହାୟତା ମାଗିପାରିବେ। ଭାରତୀୟ ତଟ ରକ୍ଷୀ, ନୌସେନା, ସ୍ଥଳ ସେନା ଏବଂ ବାୟୁସେନା ୟୁନିଟଗୁଡ଼ିକୁ ସଜାଗ ରଖାଯାଇଛି। ସର୍ଭେଲାନ୍ସ ଏୟାରକ୍ରାଫ୍ଟ ଓ ହେଲିକପ୍ଟର ଗୁଡ଼ିକ ଆକାଶ ମାର୍ଗରେ ପଇଁତାର ମାରି ପରିସ୍ଥିତି ନିରୀକ୍ଷଣ କରୁଛନ୍ତି।
ଏନଡିଆରଏଫ ପକ୍ଷରୁ ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକରେ ୧୦୧ ଟିମ୍ ମୁତୟନ କରାଯାଇଛି। ଗୁଜରାଟ ସମେତ ଡାମନ ଓ ଡିୟୁ ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗର ସାଇକ୍ଲୋନ ୱାର୍ଣ୍ଣିଂ ଡିଭିଜନ ପକ୍ଷରୁ ୧୮ ତାରିଖ ସୁଦ୍ଧା ତୌକ୍ତେ ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିମି ରହିବ। ସ୍ଥଳ ବିଶେଷରେ ଏହା ଅଧିକ ରହିପାରେ। ଗୁଜରାଟରେ ରବିବାର ମଧ୍ୟରାତ୍ରିସୁଦ୍ଧା ଦେଢ଼ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।