ଅହମ୍ମଦାବାଦ୍: ଆତ୍ମଘୋଷିତ ବାବା ସ୍ବାମୀ ନିତ୍ୟାନନ୍ଦଙ୍କୁ ଧରିବା ପାଇଁ ବୈଦେଶିକ ମନ୍ତ୍ରାଳୟର ଯୋଗାଯୋଗରେ ଥିବା କଥା କହିଛି ଗୁଜୁରାଟ ପୁଲିସ୍। ଅହମ୍ମଦାବାଦ୍ରେ ନିଜ ଆଶ୍ରମ ଚଳାଇବା ପାଇଁ ନିତ୍ୟାନନ୍ଦ ନିରୀହ ଶିଶୁମାନଙ୍କୁ ଅପହରଣ କରି ସେମାନଙ୍କୁ ଭକ୍ତମାନଙ୍କଠାରୁ ଦାନ ସଂଗ୍ରହ ଲାଗି ବ୍ୟବହାର କରୁଥିଲେ। ଏହି ଅଭିଯୋଗ ଆସିବା ପରେ ନିତ୍ୟାନନ୍ଦଙ୍କ କଳା କାରନାମା ସାମ୍ନାକୁ ଆସିଥିଲା। ସେ ଦେଶ ଛାଡ଼ି ପଳାଇ ଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍ ବତ୍ତର୍ମାନ ସ୍ବାମୀ ନିତ୍ୟାନନ୍ଦଙ୍କ ବିରୋଧରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
ଅହମ୍ମଦାବାଦ୍ ପୁଲିସ୍ର ରୁରାଲ୍ ସୁପରିଟେଣ୍ଡେଣ୍ଟ୍ ଆର୍ ଭି ଅସରୀ କହିଛନ୍ତି, ‘ନିତ୍ୟାନନ୍ଦଙ୍କ ବିରୋଧରେ ଆମେ ମାମଲା ରୁଜ୍ଜୁ କରିଛୁ। ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।’ ମଙ୍ଗଳବାର ଦିନ ତାଙ୍କର ଦୁଇ ଜଣ ଶିଷ୍ୟା ପ୍ରାଣପ୍ରିୟା ଏବଂ ପ୍ରିୟତତ୍ତ୍ୱଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ପାଞ୍ଚ ଦିନ ପାଇଁ ପୁଲିସ ରିମାଣ୍ଡରେ ନେଇଛି।
ତେବେ ଆତ୍ମ ଘୋଷିତ ବାବା ନିତ୍ୟାନନ୍ଦ କେଉଁଠି ଅଛନ୍ତି ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଅସରୀ କହିଛନ୍ତି କି, ଆମେ ବୈଦେଶିକ ମନ୍ତ୍ରାଳୟ ସହ ବହୁ ବୈଦେଶିକ ସଂସ୍ଥା ସହ ଯୋଗାଯୋଗରେ ଅଛୁ। ଖୁବ୍ ଶୀଘ୍ର ନିତ୍ୟାନନ୍ଦଙ୍କୁ ଖୋଜି ବାହର କରାଯିବ।