ନୂଆଦିଲ୍ଲୀ: ମଙ୍ଗଳବାର ରାଜସ୍ଥାନର ଉଦୟପୁରରେ ଦୁଇଜଣ ଲୋକ ହାତରେ କଂସେଇ ଛୁରୀ ଧରି କହ୍ନେୟା ଲାଲ ନାମକ ଜଣେ ଦରଜୀଙ୍କ ମୁଣ୍ଡକାଟ କରିଥିଲେ। ଏହି ହତ୍ୟା ଘଟଣାକୁ ନେଇ ଉଦୟପୁରରେ ତୀବ୍ର ସାମ୍ପ୍ରଦାୟିକ ଉତ୍ତେଜନା ଦେଖିବାକୁ ମିଳିଛି।। ଏଣୁ ଶାନ୍ତିରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ମାସକ ଯାଏ ନାନା ପ୍ରକାର କଟକଣା ଜାରି କରାଯାଇଛି। ରସୁଲ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରି ଦରଜୀ ଜଣକ ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କରିଥିବାରୁ ତାହାର ପ୍ରତିଶୋଧ ନେବା ପାଇଁ ମହମ୍ମଦ ରିଆଜ ଓ ଘୋସେ ମହମ୍ମଦ ନାମକ ଅପରାଧୀଦ୍ବୟ ଏହି ବର୍ବର କାଣ୍ଡ କରିଥିଲେ। ଦରଜୀଙ୍କ ମୁଣ୍ଡକାଟ କରି ସୋସିଆଲ ମିଡ଼ିଆରେ ଭିଡିଓ ଛାଡ଼ିବା ପରେ ଗିରଫ ହୋଇଥିବା ଅପରାଧୀଦ୍ବୟ ନିଜର ଅପରାଧ ସ୍ବୀକାର କରିଛନ୍ତି। ସେମାନେ ପାକିସ୍ତାନୀ ଧାର୍ମିକ ସଂଗଠନ ଦାୱତ-ଏ-ଇସଲାମୀ ସହ ସମ୍ପୃକ୍ତ ବୋଲି ତଦନ୍ତ କରୁଥିବା ପୁଲିସ ଅଧିକାରୀମାନେ ବିଶ୍ବାସ କରୁଛନ୍ତି।

Advertisment

ଦାୱତ-ଏ-ଇସଲାମୀ ହେଉଛି ଏକ ସୁନ୍ନି ମୁସଲିମ ସଂଗଠନ ଯେ କି ନିଜକୁ ଏକ ଅଣଲାଭକାରୀ ସଂସ୍ଥା ବୋଲି ଦାବି କରେ ଏବଂ ରସୁଲ ମହମ୍ମଦଙ୍କ ବାର୍ତ୍ତା ପ୍ରଚାର କରେ। ଏହା ଏକ ଟେଲିଭିଜନ ଚାନେଲ ଚଳାଇବା ସହ ଅନ୍‌ଲାଇନ୍ ଇସଲାମିକ୍ ପାଠ୍ୟକ୍ରମ ଅଧ୍ୟାପନା କରେ। ମୌଲାନା ଇଲିୟାସ ଅଟ୍ଟାରି ପାକିସ୍ତାନର କରାଚୀରେ ୧୯୮୧ରେ ଏହି ସଂଗଠନକୁ ପ୍ରତିଷ୍ଠା କରିଥିଲେ। ଅଦ୍ୟାବଧି ଏହି ସଂଗଠନ ୧୯୪ଟି ଦେଶରେ ବିସ୍ତାରଲାଭ କଲାଣି। ଏହାର ପ୍ରତିଷ୍ଠାତାଙ୍କ ନାମାନୁସାରେ ସଂଗଠନ ସହ ଜଡ଼ିତ ବ୍ୟକ୍ତିମାନେ ନିଜ ନାମ ସହ ‘ଅଟ୍ଟାରି’ ଯୋଗ କରିଥାନ୍ତି। ଉଦୟପୁର ହତ୍ୟା ଅଭିଯୁକ୍ତ ମହମ୍ମଦ ରିଆଜ ମଧ୍ୟ ନିଜ ନାମ ସହ ‘ଅଟ୍ଟାରି’ ଯୋଡ଼ିଥାଏ। ୧୯୮୯ ମସିହାରେ ଉଲେମା (ଇସଲାମିକ୍ ବିଦ୍ବାନ)ମାନଙ୍କର ଏକ ପ୍ରତିନିଧି ଦଳ ଭାରତ ଆସିଥିଲା। ସେମାନଙ୍କ ସହ ଅନେକ ଭାରତୀୟ ମୁସଲମାନ ଆଲୋଚନା କରିବା ପରେ ଏହି ସଂଗଠନର ଶାଖା ଭାରତରେ ପ୍ରତିଷ୍ଠିତ ହୋଇଥିଲା, ଯାହାର ମୁଖ୍ୟାଳୟ ଦିଲ୍ଲୀ ଓ ମୁମ୍ବାଇରେ ରହିଛି। ସୟଦ ଆରିଫ ଅଲି ଅଟ୍ଟାରି ନାମକ ଏହାର ଜଣେ ପ୍ରମୁଖ କର୍ମକର୍ତ୍ତା ଭାରତରେ ଏହି ସଂଗଠନର ପ୍ରସାର କାର୍ଯ୍ୟରେ ନିୟୋଜିତ। ନିଜ ଆଦର୍ଶର ପ୍ରଚାର-ପ୍ରସାର ପାଇଁ ଦାୱତ-ଏ-ଇସଲାମୀ ସଂଗଠନ ମଦାନୀ ନାମକ ଏକ ଟିଭି ଚାନେଲ ଚଳାଉଛି।। ଉର୍ଦ୍ଦୁ ଛଡ଼ା ଇଂରାଜି ଓ ବଙ୍ଗଳାରେ ମଧ୍ୟ ଏହାର କାର୍ଯ୍ୟକ୍ରମ ପ୍ରସାରିତ ହୁଏ। ସାରିଆର ପ୍ରଚାର ପ୍ରସାର ନିମନ୍ତେ ଏହି ସଂଗଠନ ୩୨ଟି ଅନ୍‌ଲାଇନ୍ ଇସଲାମିକ୍ ପାଠ୍ୟକ୍ରମର ପ୍ରଚଳନ କରିଛି। ତିନି ଦଶନ୍ଧି ଭିତରେ ଦୱାତ୍-ଏ-ଇସଲାମୀ ଅନେକ ଧର୍ମାନ୍ତରୀକରଣ କାର୍ଯ୍ୟରେ ଲିପ୍ତ ରହିଥିବା ମଧ୍ୟ ଅଭିଯୋଗ ରହିଛି।