ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ବ୍ୟବସାୟିକ କାରବାର କରି ଚୀନ୍ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ ଓ ଉଚ୍ଚକ୍ଷମତା ସଂପନ୍ନ ମିସାଇଲ୍ ଟ୍ରାକିଂ ସିଷ୍ଟମ୍ ପାକିସ୍ତାନକୁ ବିକ୍ରୟ କରିଛି। ଏହା ପାକିସ୍ତାନୀ ସେନାକୁ ଆଧୁନିକ ଓ ସଶକ୍ତ କରିବା ସହ ପାକିସ୍ତାନର ‘ମଲ୍ଟି- ଓ୍ଵାରହେଡ୍ ମିସାଇଲ’ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବ। ଗୁରୁବାର ଏହି ସୂଚନା ପ୍ରଦାନ କରିଛି ହଂକଂରୁ ପ୍ରକାଶିତ ସାଉଥ୍ ଚୀନ୍ ମର୍ଣ୍ଣିଂ ପୋଷ୍ଟ ସମ୍ବାଦପତ୍ର।
ତେବେ, ଏ ସଂପର୍କିତ ଅନ୍ୟ ସବିଶେଷ ତଥ୍ୟ ଯେପରିକି ଏହି ‘ମଲ୍ଟି- ଓ୍ଵାରହେଡ୍ ମିସାଇଲ’ ହାସଲ କରିବାକୁ ପାକିସ୍ତାନ ଚୀନ୍କୁ କେତେ ପରିମାଣର ଅର୍ଥ ପ୍ରଦାନ କରିଛି ଇତ୍ୟାଦି ମିଳି ନଥିଲେ ସୁଦ୍ଧା, ପାକିସ୍ତାନୀ ସେନା ଏହି ‘ମଲ୍ଟି- ଓ୍ଵାରହେଡ୍ ମିସାଇଲ’କୁ ନେଇ ଫାୟାରିଂ ରେଞ୍ଜ ମଧ୍ୟରେ ମୁତୟନ କରିବା ସହ ଏହାକୁ ବ୍ୟବହାର କରି ନିଜର ନିଜର ମିସାଇଲ୍ ପରୀକ୍ଷଣ ଓ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଦେଲାଣି।
ଭାରତ ଯୁଦ୍ଧ ବିମାନ ସାହାଯ୍ୟରେ ବିଶ୍ୱର ଦ୍ରୁତଗାମୀ ସୁପରସୋନିକ ମିସାଇଲ୍ ବହ୍ମୋସ୍ର ସଫଳ ପରୀକ୍ଷଣ କରିବା ଓ ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରଖିଥିବା ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲ୍ର ସଫଳ ପରୀକ୍ଷଣ କରିବା ପରେ ପରେ ପାକିସ୍ତାନ ଏ ପ୍ରକାରର ପଦକ୍ଷେପ ଗ୍ରହଣ କରିଛି ବୋଳି ପ୍ରକାଶ କରିଛି ସାଉଥ୍ ଚୀନ୍ ମର୍ଣ୍ଣିଂ ପୋଷ୍ଟ ସମ୍ବାଦପତ୍ର। ତେବେ, ପାକିସ୍ତାନକୁ ଏପରି ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଯୁଦ୍ଧାସ୍ତ୍ର ବିକ୍ରୟ କରିବାରେ ଚୀନ୍ ସର୍ବପ୍ରଥମ ରାଷ୍ଟ୍ର ଥିବା କହିଛି ଏହି ସମ୍ବାଦପତ୍ର।