ଦଳବଦଳ କରି ବି ଜିତିପାରିଲେନି, ୟୁପିରେ ଅଧାରେ ରହିଲା ଏସବୁ ନେତାଙ୍କ କ୍ଷମତାକୁ ଆସିବାର ସ୍ବପ୍ନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ନେତା ଦଳବଦଳ କରିଥିଲେ। କିଛି ବିଜେପି ନେତା କ୍ଷମତାକୁ ଆସିବା ଆଳରେ ଦଳ ବଦଳାଇ ବିରୋଧୀଙ୍କ ସହ ହାତ ମିଳାଇଥିଲେ। ହେଲେ ଦଳବଦଳ ପରେ ବି ସେମାନଙ୍କୁ ସଫଳତା ମିଳିନଥିବା ଦେଖାଯାଇଛି। ବିଜେପି ହାତ ଛାଡ଼ିଥିବା କିଛି ଏଭଳି ନେତା ରହିଛନ୍ତି ଯେଉଁମାନେ ନିର୍ବାଚନ ଲଢ଼ି ପରାସ୍ତ ହୋଇଛନ୍ତି। ଯୋଗୀଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପି ଛାଡିଥିବା ବରିଷ୍ଠ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧର୍ମ ସିଂ ସାଇନିଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। କେବଳ ଏତିକି ନୁହେଁ, ବିଏସପି ଛାଡି ସପାରେ ଯୋଗ ଦେଇଥିବା ଅନେକ ବରିଷ୍ଠ ନେତା ମଧ୍ୟ ବିଧାନସଭା ନିର୍ବାଚନ ଜିତିପାରିନାହାନ୍ତି।

୧. ଏହି ତାଲିବାରେ ପ୍ରଥମେ ଅଛନ୍ତି ଧର୍ମ ସିଂହ ସାଇନି। ୟୁପିର ସହାରନପୁର ଜିଲ୍ଲାର ନାକୁଡ ବିଧାନସଭା ଆସନରେ ବିଜେପିର ମୁକେଶ ଚୌଧୁରୀ ସପା ପ୍ରାର୍ଥୀ ଧର୍ମ ସିଂ ସାଇନିଙ୍କୁ ପରାସ୍ତ କରିଛନ୍ତି। ନାକୁଡ ଆସନରେ ବିଜେପି ୧,୦୩,୭୭୧ଭୋଟ ପାଇଥିବାବେଳେ ସପା ୧,୦୩,୬୧୬ଭୋଟ୍ ପାଇଛି।

୨. ଦ୍ବି୍ତୀୟରେ ଅଛନ୍ତି ସ୍ବାମୀ ପ୍ରସାଦ ମୌର୍ଯ୍ୟ। ସପାର ପ୍ରାର୍ଥୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ କୁଶୀନଗରର ଫାଜିଲନଗର ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ଏବେ ସେ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର କୁଶୱାଙ୍କଠାରୁ ହାରିଛନ୍ତି।

୩. ଆଜମଗଡର ମୁବାରକବାଦ୍ ଆସନରୁ ଦୁଇଥର ବିଧାୟକ ଥିବା ଶାହ ଆଲାମ ଗୁଡୁ ଜମାଲି ନିର୍ବାଚନ ପୂର୍ବରୁ ବିଏସପି ଛାଡି ସପାରେ ଯୋଗ ଦେଇଥିଲେ, କିନ୍ତୁ ଟିକେଟ୍ ନପାଇ ସେ ଓୱେସୀଙ୍କ ଏଆଇଏମଆଇଏମରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ। ଏହା ପରେ ମଧ୍ୟ ସେ ନିର୍ବାଚନ ​​ଜିତିପାରିନଥିବା ଜଣାପଡ଼ିଛି। ତାଙ୍କୁ ସପା ପ୍ରାର୍ଥୀ ଅଖିଳେଶ ଯାଦବଙ୍କଠାରୁ ହାରିବାକୁ ପଡ଼ିଛି।

୪. ଶ୍ରାବସ୍ତୀ ବିଧାନସଭା ଆସନରୁ ବିଧାୟକ ମହମ୍ମଦ ଅସଲାମ ରାଇନି ବିଏସପି ଛାଡି ସପାରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ। ହେଲେ ଅନେକ ଚେଷ୍ଟା ପରେ ବି ତାଙ୍କୁ ବିଜେପି ପ୍ରାର୍ଥୀ ରାମ ଫରେନଙ୍କଠାରୁ ହାରିବାକୁ ପଡ଼ିଥିବା ଜଣାପଡ଼ିଛି।

ବର୍ତ୍ତମାନ ସୁଦ୍ଧା ହସ୍ତଗତ ଫଳାଫଳ ଅନୁସାରେ ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ବିଜେପି ୬୮ ଆସନରେ ଆଗୁଆ ଥିବା ବେଳେ ଏଯାବତ୍ ୨୦୫ଟିରେ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ୪୯ଟିରେ ଆଗୁଆ ରହିଥିବା ବେଳେ ୭୬ଟିରେ ବିଜୟ ଲାଭ କରିଛି।

ସମ୍ବନ୍ଧିତ ଖବର