ୟୁପିରେ ବିଜେପି ଛାଡ଼ି‌ଲେ ମନ୍ତ୍ରୀ ଓ ୪ ବିଧାୟକ, ‌ଆଉ ୧୩ ସପାରେ ମିଶିବେ

ଲକ୍ଷ୍ନୌ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଜେପିକୁ ଆଜି ଶକ୍ତ ଝଟ୍‌କା ଲାଗିଛି। ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଏବଂ ୪ ଜଣ ବିଧାୟକ ଆଜି ବିଜେପି ଛାଡ଼ି ସପାରେ ଯୋଗଦେଇଛନ୍ତି। ଯୋଗୀ ସରକାରରେ ଜଣେ ଶୀର୍ଷ ମନ୍ତ୍ରୀ ସ୍ବାମୀ ପ୍ରସାଦ ମ‌ୌର୍ଯ୍ୟ ଆଜି ଟ୍ବିଟର୍‌ରେ ତାଙ୍କ ଇସ୍ତଫାପତ୍ର ପୋଷ୍ଟ୍‌ କରିଛନ୍ତି। ମୌର୍ଯ୍ୟ ଇସ୍ତଫା ଦେବାପରେ ତାଙ୍କର ସମର୍ଥକ ଅନ୍ୟ ୪ ବିଧାୟକ ରୋଶନ ଲାଲ୍‌ ବର୍ମା, ବ୍ରିଜେଶ ପ୍ରଜାପତି, ଭଗବତୀ ସାଗର ଏବଂ ବିନୟ ଶାକ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସ୍ବାମୀ ପ୍ରସାଦ ମୌର୍ଯ୍ୟ ଜଣେ ଟାଣୁଆ ଓବିସି ନେତା। ୨୦୧୬ରେ ମାୟାବତୀଙ୍କ ଦଳ ବିଏସ୍‌ପି ଛାଡ଼ିବା ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ଝିଅ ସଂଘମିତ୍ରା ଜଣେ ବିଜେପି ସାଂସଦ। ଇସ୍ତଫାପତ୍ରରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଲେଖିଛନ୍ତି, ଭିନ୍ନ ବିଚାରଧାରା ସତ୍ତ୍ବେ ମୁଁ ଯୋଗୀ ସରକାରରେ ପୂର୍ଣ୍ଣ ସମର୍ପଣ ସହ କାମ କରିଛି। କିନ୍ତୁ ଦଳିତ, ଓବିସି, କୃଷକ, ବେକାରୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲଗାତାର ଭାବେ ଅବହେଳା କରାଯାଇଥିବାରୁ ମୁଁ ଇସ୍ତଫା ଦେଉଛି । ମୌର୍ଯ୍ୟଙ୍କ ଇସ୍ତଫା ପରେ ସପା ସୁପ୍ରିମୋ ଅଖିଳେଶ ଯାଦବ ଆଜି ମୌର୍ଯ୍ୟ ଏବଂ ତାଙ୍କ ସମର୍ଥକମାନଙ୍କ ସହ ଏକ ଫଟୋ ଟ୍ବିଟ୍‌ କରିବା ସହ ତାଙ୍କୁ ଦଳକୁ ସ୍ବାଗତ କରିଥିବା କହିଛନ୍ତି। ଅଖିଳେଶ କହିଛନ୍ତି, ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ବିପ୍ଳବ ଆସୁଛି। ୨୦୨୨ରେ ଏକ ବଡ଼ ପରିବର୍ତ୍ତନ ଆସୁଛି ବୋଲି ଯାଦବ କହିଛନ୍ତି।

‌ଆଉ ୧୩ ସପାରେ ମିଶିବେ: ପାୱାର
ନୂଆଦିଲ୍ଲୀ : ବିଜେପିର ଆଜି ୫ ନେତା ତଥା ଜଣେ ମନ୍ତ୍ରୀ ଏବଂ ୪ ବିଧାୟକ ବିଜେପି ଛାଡ଼ିବାପରେ ଉତ୍ତରପ୍ରଦେଶ ରାଜନୀତି ସରଗରମ ହୋଇ ଉଠିଛି। ବିଜେପିର ୫ ନେତା ସପାରେ ଯୋଗ ଦେବାପରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଆଜି ପୁଣି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ପାୱାର କହିଛନ୍ତି ଉତ୍ତରପ୍ରଦେଶରେ ତାଙ୍କ ଦଳ ସମାଜବାଦୀ ପାର୍ଟି ଏବଂ ଅନ୍ୟ କ୍ଷୁଦ୍ର ଦଳ ସହ ମେଣ୍ଟ କରିବ। ପାୱାର କହିଛନ୍ତି, ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକ ଧ୍ରୁବୀକରଣ କରାଯାଉଛି। କିନ୍ତୁ ଉତ୍ତରପ୍ରଦେଶର ଲୋକ ଏହାର ସଠିକ୍‌ ଜବାବ ଦେବେ। ଉତ୍ତରପ୍ରଦେଶ ବିଧାନସଭାରୁ ଆଉ ୧୩ ବିଧାୟକ ସପାରେ ଯୋଗ ଦେବେ ବୋଲି ପାୱାର କହିଛନ୍ତି। ଅନ୍ୟପକ୍ଷେ ଗୋଆରେ ମେଣ୍ଟ ପାଇଁ ଟିଏମ୍‌ସି ଏବଂ କଂଗ୍ରେସ ସହ କଥାବାର୍ତ୍ତା ଜାରି ରହିଛି ବୋଲି ଏନ୍‌ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି।

ସମ୍ବନ୍ଧିତ ଖବର